ରଥଯାତ୍ରା ବନ୍ଦ ନେଇ ‘ସୁପ୍ରିମ୍’ ଫୈସଲା ପରେ ଗଜପତିଙ୍କ ବୟାନ । କହିଲେ, ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେବ କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସମ୍ମାନ ଦେବାକୁ ହେବ । 

1,065

କନକ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଛନ୍ତି କି, ରଥ ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ । ରଥଯାତ୍ରା ନକରିବା ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ସେ ଆହୁରି କହିଛନ୍ତି ଶ୍ରୀମନ୍ଦିର ବାହାରେ ରଥଯାତ୍ରା ନହଲେ ଶ୍ରୀମନ୍ଦିର ଭିତରେ କଣ କରିବାକୁ ପଡିବ, ତାହା ଖୁବ ଶୀଘ୍ର ନିଷ୍ପତି ନିଆଯିବ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପରିଚାଳନା କମିଟିରେ ଆଲୋଚନା କରାଯାଇ ପରବର୍ତୀ ନୀତି କାନ୍ତି ସଂପର୍କରେ ନିଷ୍ପତି ନିଆଯିବ । ଅନ୍ୟପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ସୁପ୍ରିମ ଫୈସଲା ଆସିବା ପରେ ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ । ସଂଧ୍ୟା ୭ଟା ୪୫ରେ ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସାମିଲ ହେବେ ଆଡଭୋକେଟ ଜେନେରାଲ, ଶ୍ରୀ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହି ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା ହୋଇପାରେ ।