ଉତ୍ତରପ୍ରଦେଶରେ ସ୍କ୍ରବ ଟାଇଫସ୍ ଆତଙ୍କ । ୪୦୦ ରୁ ଅଧିକ ଆକ୍ରାନ୍ତ, ୨୪ ଶିଶୁ ମୃତ, ୩ ଡାକ୍ତର ନିଲମ୍ବିତ ।

176

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ବଢୁଛି ସ୍କ୍ରବ ଟାଇଫସ୍ ଆତଙ୍କ । ଏଥିରେ ଅକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ରାଜ୍ୟ ସ୍ୱାସ୍ଥ୍ର୍ୟ ବିଭାଗର ଚିନ୍ତା ବଢାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରେ ପିଲାମାନଙ୍କ ସଂଖ୍ୟା ଉଦବେଗଜନକ ରହିଛି । ଏହି ରହସ୍ୟମୟ ଜ୍ୱରରେ ୪୦୦ରୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ୫୦ ଟପିଲାଣି ।ମୃତକଙ୍କ ମଧ୍ୟରେ ୨୪ଜଣ ଶିଶୁ ଥିବା ଜଣାପଡିଛି । ଫିରୋଜାବାଦରେ ଅଧିକ ସଂକ୍ରମିତ ଥିବା ଜଣାପଡିଛି । ଏହି ଘଟଣାରେ ଫିରୋଜାବାଦର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ରାନ୍ସଫର କରିବା ସହ ୩ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛି ସ୍ୱାସ୍ଥ୍ୟ ବିଭାଗ ।ସୂଚନା ମୁତାବକ, ଫିରୋଜାବାଦ ମେଡିକାଲ କଲେଜରେ ୨୮୫ ଶିଶୁଙ୍କ ସହ ମୋଟ ୩୭୫ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭିନ୍ନ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରାନ୍ତଙ୍କୁ ଭେଟିବା ସହ ଆବଶ୍ୟକ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜ୍ୱର ‘ ଓରିଏଣ୍ଟିଆ ସୁତୁଗାମୁସି’ ବ୍ୟାକ୍ଟେରିଆରୁ ବ୍ୟାପୁଛି, ଯାହା ଲାର୍ବା ମାଇଟ୍ସ ପୋକ କାମୁଡୁଥିବା ଯୋଗୁଁ ହେଉଥିବା ବିଶେଷଜ୍ଞ ମାନେ କହିଛନ୍ତି । ଏଥିରୁ ମୁକ୍ତି ପାଇଁ ଆକ୍ରାନ୍ତଙ୍କ ଠାରୁ ଦୂରତା ରକ୍ଷା କିରିବା ସହ ବିଲବାଡିରେ ପର୍ମେଥ୍ରିନ୍ କୀଟନାଶକ ପ୍ରୟୋଗ କରିବାକୁ ସିଡିସି ପକ୍ଷରୁ କୁହାଯାଇଛି ।