ଉତ୍ତରପ୍ରଦେଶରେ ସ୍କ୍ରବ ଟାଇଫସ୍ ଆତଙ୍କ: ପୋକ କାମୁଡାରେ ହେଉଛି ଜ୍ୱର ,୬୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ୧୦ ମୃତ

266

କନକ ବ୍ୟୁରୋ: ଚାରିଆଡେ ଏବେ କରୋନାର ତ୍ୟୃତୀୟ ଲହର ଚାଲିଥିବାବେଳେ ଉତ୍ତରପ୍ରଦେଶରେ ଦେଖାଦେଇଛି ସ୍କ୍ରବ ଟାଇଫସ୍ ଆତଙ୍କ । ଏଥିରେ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ଜଣ ଶିଶୁ ଥିବା ଜଣାପଡିଛି । ମଥୁରା ଚିଫ୍ ମେଡିକାଲ ଅଫିସରଙ୍କ କହିବା ଅନୁସାରେ ବୁଧବାର କୁହ୍ ଗାଁରେ ୨୬ ଜଣ ଶିଶୁ ଏହି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ପିପରୋଥ୍, ରାଲ୍ ଓ ଯଶୋଦା ଇଲାକାରେ ମଧ୍ୟ ଯଥାକ୍ରମେ ୩, ୧୪ ଓ ୧୭ଟି ମାମଲା ସାମ୍ନାକୁ ଆସିଛି । ଏହା ସହ ଆଗ୍ରା, ଫିରୋଜାବାଦ୍ ମୈନପୁରୀ, ଏଟା ଓ କାସଗଂଜ ଜିଲ୍ଲାରୁ ମଧ୍ୟ ସ୍କ୍ରବ ଟାଇଫସ୍ ସଂକ୍ରମଣ ଓ ମୃତ୍ୟୁ ମାମଲା ଆସିଛି । ଏହି ଜ୍ୱର ‘ଓରିଏଣ୍ଟିଆ ସୁତୁଗାମୁସି’ ବ୍ୟାକ୍ଟେରିଆରୁ ବ୍ୟାପୁଛି, ଯାହା ଲାର୍ବା ମାଇଟ୍ସ ପୋକ କାମୁଡାରୁ ହେଉଥିବା ବିଶେଷଜ୍ଞ କହିଛନ୍ତି ।

ଏହି ପୋକ କାମୁଡାର ୧୦ ଦିନ ପରେ ଏହି ଜ୍ୱରର ଲକ୍ଷଣ ଦେଖାଯାଏ । ଏଥିରେ ଥଣ୍ଡା,ଜ୍ୱର ସହ ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଚିଡଚିଡାପଣ ସହ ଚର୍ମ ରୋଗ ମଧ୍ୟ ଦେଖାଯାଏ । ସିଡିସି (ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍)ର ସୂଚନା ମୁତାବକ, ଏହି ରୋଗର କୌଣସି ଔଷଧ କିମ୍ବା ଟିକା ନାହିଁ । ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରିବା ସହ ଜଙ୍ଗଲିଆ ସ୍ଥାନକୁ ଶରୀରକୁ ଢାଙ୍ଗିଲା ଭଳି ପୋଷାକ ପିନ୍ଧିବା ଉଚିତ । ଏହାସହ ଜମିରେ ପର୍ମେଥ୍ରିନ୍ କିଟନାଶକ ପ୍ରୟୋଗ କରିବାକୁ ସିଡିସି ପକ୍ଷରୁ କୁହାଯାଇଛି ।