କରୋନା ପରେ ଏବେ ଡରାଇଲାଣି ଆଉ ଏକ ମାରାତ୍ମକ ରୋଗ ! ଠିକ୍ ସମୟରେ ଚିକିତ୍ସା ନହେଲେ ହୋଇପାରେ ଘାତକ । 

2,495

କନକ ବ୍ୟୁରୋ : କରୋନା ସଂକ୍ରମଣ ଟିକେ ଥମିବା ପରେ ପୁଣି ଦେଖାଦେଇଛି ଆଉ ଏକ ମାରାତ୍ମକ ରୋଗ । ଉତ୍ତରପ୍ରଦେଶ ଓ ବିହାରରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ୍ ରୋଗ ଏବେ ନବରଙ୍ଗପୁରରେ କାୟା ବିସ୍ତାର କରିଛି ।

ନବରଙ୍ଗପୁର ଚନ୍ଦାହାଣ୍ଡିରେ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍ ରୋଗ । ଚନ୍ଦାହାଣ୍ଡି ଅଞ୍ଚଳରେ ୩୯ ଜଣ ଲୋକ ସ୍କ୍ରବ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ପ୍ରବଳ ଜ୍ୱର ହେବା ସହ ମୁଣ୍ଡ ବିନ୍ଧା, ଦେହ କୁଣ୍ଡାଇ ହେବା, ମାଂସପେଶୀରେ ଯନ୍ତ୍ରଣା ହେବା ସହ ଦୁର୍ବଳ ଲାଗୁଛି । ସ୍କ୍ରବ୍ ଟାଇଫସ୍ ଅନ୍ୟ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନା ଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ଘାରିଛି ।

ଚନ୍ଦାହାଣ୍ଡିର ଧୋଡ଼ିପାଣି ଗାଁର କିଛି ଲୋକଙ୍କୁ ଜ୍ୱର ହେବାରୁ ସେମାନେ ଚିକିତ୍ସା ପାଇଁ ଏକ ଘରୋଇ ଡ଼ାକ୍ତରଖାନାକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେମାନେ ସ୍କ୍ରବ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ବୋଲି ଜାଣିଥିଲେ । ଏ ଖବର ପାଇ ଗାଁରେ ପହଞ୍ଚିଥିଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ । ସାମାନ୍ୟ ଲକ୍ଷଣ ଥିବା ୬୨ ଜଣ ଲୋକଙ୍କ ଠାରୁ ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୪ ଜଣ, ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଜଣ ଓ ତୃତୀୟ ପର୍ଯ୍ୟାୟରେ ୨୩ ଜଣଙ୍କ ସଂକ୍ରମିତ ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତ ଏବେ ଗୃହ ସଂଗରୋଧରେ ଅଛନ୍ତି ।

ତେବେ ଠିକ୍ ସମୟରେ ଏହାର ଚିକିତ୍ସା ନହେଲେ ଏହା ଘାତକ ହୋଇପାରେ । କୌଣସି କୀଟପତଙ୍ଗ, ବିଷାକ୍ତ କୀଟ ଶରୀରକୁ କାମୁଡ଼ିଲେ ତାହାର ଲାଳ ଅଂଶରେ ଯେଉଁ ଭୂତାଣୁ ଶରୀରକୁ ଯାଏ ତାହା ଦ୍ୱାରା ସ୍କ୍ରବ ଟାଇଫସ୍ ଜ୍ୱର ଦେଖାଦେଇଥାଏ । ତେବେ ଏଥିପାଇଁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।