ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ଜାଣନ୍ତୁ କେଉଁ କେଉଁ ଗାଡିକୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, କୋଟିଏ ଗାଡି ଭିତରେ ଆପଣଙ୍କ ଗାଡି ଭିତରେ ନାହିଁ ତ?

1,477

କନକ ବ୍ୟୁରୋ : ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ୨୦୨୧-୨୨ ପାଇଁ ବଜେଟ ଘୋଷଣା ହେବା ସହ ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢିଯାଇଛି । ଚଳିତ ବଜେଟରେ ପୁରୁଣା ଗାଡିମୋଟରକୁ ନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ଘୋଷଣା ମଧ୍ୟରୁ ଯେଉଁ ଘୋଷଣା ଉପରେ ସମସ୍ତଙ୍କର ଅଧିକ ଫୋକସ ରହିଥିଲା ତାହା ହେଲା ସ୍କ୍ରାପ ପଲିସି । ବାୟୁ ଓ ଶବ୍ଦ ପ୍ରଦୂଷଣକୁ କମ କରିବାକୁ ସ୍କ୍ରାପ ପଲିସିକୁ ସାମ୍ନାକୁ ଆଣିଛନ୍ତି ସରକାର । ଏହାଛଡା ଏହି ସ୍କ୍ରାପ ପଲିସି ବାବଦରେ ସେହି ମାନଙ୍କୁ ଜାଣିବାର ଆବଶ୍ୟକତା ରହିଛି ଯେଉଁମାନଙ୍କ ପାଖରେ ଦୀର୍ଘ ବର୍ଷର ପୁରୁଣା ଗାଡି ପାଖରେ ରହିଛି । ଏହାଛଡା ନୂଆ ଗାଡି କିଣିବାକୁ ମନ ବଳାଇଥିବା ଲୋକଙ୍କୁ ମଧ୍ୟ ଏହି ପଲିସି ବାବଦରେ ଜାଣିବାର ନିହାତି ଆବଶ୍ୟକତା ରହିଛି ।

ଅର୍ଥମନ୍ତ୍ରୀ ସଂସଦରେ ସ୍କ୍ରାପ ପଲିସିର ଘୋଷଣା ସହ ଅଟୋମୋବାଇଲ ସେକ୍ଟରକୁ ବଡ ଉପହାର ଭେଟି ଦେଇଛନ୍ତି । କାରଣ ଏହି ପଲିସି ଅନୁଯାୟୀ, ରାସ୍ତାରୁ ହଟିବ ପୁରୁଣା ଭାରୀ ଓ ହାଲୁକା ଯାନ  । ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ ବର୍ଷ ପୁରୁଣା ବାଣିଜ୍ୟିକ ଗାଡି ରାସ୍ତାରେ ଚାଲିବାକୁ ହେଲେ ଫିଟନେସ ଟେଷ୍ଟ କରିବାକୁ ପଡିବ । ଆଉ ଏହି ଟେଷ୍ଟ ପାସ୍ କଲେ ହିଁ ରାସ୍ତାକୁ ଗାଡି କାଢିବାକୁ ଅନୁମତି ଦିଆଯିବ । ତେବେ ଏହି ଫିଟନେସ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ନବୀକରଣ ପାଇଁ ମାଲିକଙ୍କୁ ପୂର୍ବପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ । ରାସ୍ତାରୁ ପୁରୁଣା ଗାଡି ହଟାଇବାରେ ଏହି ପଲିସି ବେଶ ଫାଇଦା ଆଣିଦେବ । ସବୁଠୁ ବଡ କଥା ହେଲା, ସ୍କ୍ରାପ ପଲିସି ଦ୍ୱାରା ପୁରୁଣା ଗାଡି ନଷ୍ଟ କଲେ ନୂଆ ଗାଡି କିଣିବା ବେଳେ ପଞ୍ଜୀକରଣ ଶୁଳ୍କରେ କିଛି ରିହାତି ଦିଆଯିବ ।

ଏବେ ଦେଶରେ ୨୦ ବର୍ଷ ପୁରୁଣା ପ୍ରାୟ ୫୧ ଲକ୍ଷ ଗାଡି ରହିଛି ଓ ୧୫ ବର୍ଷ ପୁରୁଣା ୩୪ ଲକ୍ଷ ଗାଡି ରହିଛି । ସେହିଭଳି ୧୫ ବର୍ଷ ପୁରୁଣା ଥିବା ପ୍ରାୟ ୧୭ ଲକ୍ଷ ଗାଡି ବିନା କୌଣସି  ଫିଟନେସ ସାର୍ଟିଫିକେଟରେ ରାସ୍ତାରେ ଗଡୁଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ତେଣୁ ଏହି ଗାଡି ଗୁଡିକ ସ୍କ୍ରାପ ହୋଇଯିବା ପରେ ପ୍ରଦୂଷଣ କମିବା ସହ ଅଟୋ ମୋବାଇଲ ସେକ୍ଟର ପାଇଁ ନୂଆ ଆଶା ସୃଷ୍ଟି କରିବ ବୋଲି କହିଛନ୍ତି ଗଡକରୀ ।

ଏହି ପଲିସି ଆଣିବା ଦ୍ୱାରା କେବଳ ଯେ ପ୍ରଦୂଷଣ କମିବ ତାହା ନୁହେଁ ତେଲ ଖର୍ଚ୍ଚ ମଧ୍ୟ କମ ହେବ ଓ ଏହାସହ ୨୫ ପ୍ରତିଶତ ପ୍ରଦୂଷଣ କମିଯିବ ବୋଲି ଆକଳନ କରାଯାଇଛି । ତେବେ ଏହି ନୂଆ ସ୍କ୍ରାପ ପଲିସି ବାବଦରେ ବିସ୍ତୃତ ଗାଇଡଲାଇନ ଆଗାମୀ ୧୫ ଦିନ ମଧ୍ୟରେ ଆସିବ ।