କେଉଁ ରୋଗ ପାଇଁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ? ବରିଷ୍ଠ ଡାକ୍ତର କହିଲେ, ରୋଗ ଚିହ୍ନଟ ନ କରି ଔଷଧ ଦେବା ଠିକ୍ ନୁହେଁ ।

140

କନକ ବ୍ୟୁରୋ : ଫାର୍ମାସିଷ୍ଟ ରୋଗୀ ଦେଖିବା ନେଇ ଉଠିଲା ପ୍ରଶ୍ନ । ପ୍ରଶ୍ନ ଉଠାଇଲେ ବରିଷ୍ଠ ଡାକ୍ତର ତଥା ଏସସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ । କହିଲେ, ରୋଗ ଚିହ୍ନଟ ନକରି କେମିତି ଔଷଧ ଦେବେ ଫାର୍ମାସିଷ୍ଟ । ଡାକ୍ତରୀ ପାଠ ଓ ଫାର୍ମାସିଷ୍ଟ ପାଠ ଭିତରେ ରହିଛି ଫରକ । କୋଭିଡ ସଂକ୍ରମଣ ଭିତରେ ଜ୍ୱର ହେଲେ ସମସ୍ତଙ୍କୁ ପାରାସିଟାମଲ ଦେବା ଠିକ୍ ନୁହେଁ । ସେହିପରି ଆଣ୍ଟିବାୟୋଟିକ୍ ଦେବା ଆଦୌ ଠିକ୍ ନୁହେଁ । କିଛି ନିର୍ଦ୍ଦିଷ୍ଟ ଚର୍ମରୋଗ ପାଇଁ ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ । ଫାର୍ମାସିଷ୍ଟ ମାନେ ଗୋଟିଏ ଔଷଧରେ କଣ ଉପାଦାନ କେତେ ପରିମାଣରେ ଥାଏ ସେ ବାବଦରେ ପାଠ ପଢିଥାନ୍ତି ଫାର୍ମାସିଷ୍ଟ । କିନ୍ତୁ ଫାର୍ମାସିଷ୍ଟଙ୍କ ପାଠ୍ୟକ୍ରମରେ ରୋଗ ଚିହ୍ନଟ ପାଇଁ କୌଣସି ପାଠ୍ୟକ୍ରମ ନଥାଏ ବୋଲି କହିଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ । ଆଣ୍ଟିବାୟୋଟିକ ବାବଦରେ ଫାର୍ମାସିଷ୍ଟଙ୍କର ସେଭଳି କୌଣସି ଜ୍ଞାନ ନଥାଏ । ଏହାଛଡା ଆଣ୍ଟିବାୟୋଟିକ ଯିଏ କେହି ବି ମନଇଚ୍ଛା ଦେଇପାରିବେ ନାହିଁ ।

ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବହୁ ପୂର୍ବରୁ ପଂଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟଙ୍କୁ କୁହାଯାଉଥିଲା । ଏଣିକି ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ରୋଗୀ ଦେଖିପାରିବେ ଓ ଔଷଧ ଦେଇପାରିବେ ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଯେଉଁ ସରକାରୀ ହସ୍ପିଟାଲରେ ଡାକ୍ତର ନାହାନ୍ତି, ସେଠାରେ ବୁଝାସୁଝା କରୁଥିବା ଫାର୍ମାସିଷ୍ଟ ରୋଗୀର ଚିକିତ୍ସା କରିପାରିବେ । ଏଥିପାଇଁ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି । ଏଥିପାଇଁ ସେମାନେ କେଉଁ ରୋଗ ପାଇଁ କେଉଁ ଔଷଧ ଦେବେ ତାହାର ତାଲିକା ଜାରି କରାଯାଇଛି ।

ଲକ୍ଷଣ ଯୁକ୍ତ ଜ୍ୱର ପାଇଁ ପାରାସିଟାମଲ, ଆଜିଥ୍ରୋମାସିନ୍, ସେଫିକ୍ୱଜାଇମ୍, ଆମୋକ୍ସିସିଲିନ୍ ମେଡିସିନ୍ ଦେଇପାରିବେ । ସେହିପରି ମ୍ୟାଲେରିଆ, ଚର୍ମରୋଗ, ଡାଇରିଆ ଓ ଅନ୍ୟ ରୋଗ ପାଇଁ ମଧ୍ୟ ଔଷଧ ତାଲିକା ଜାରି ହୋଇଛି । ଏହି ତାଲିକା ଅନୁସାରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ।