ସାଂସଦଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କଲା ବିଜେପି

979

କନକ ବ୍ୟୁରୋ : ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବି କରିଛି ବିଜେପି । ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଯଦି ସାଂସଦ ଉପସ୍ଥିତ ନଥିଲେ ତାଙ୍କ ସୁରକ୍ଷା କର୍ମୀ କେମିତି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିବା ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ବିଜେପି ଦାବି କରିଛି । ଏହା ସହ ସାଂସଦଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି । ଗତକାଲି ପାଟଣାଗଡ଼ ତମିଆ ଛକରେନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଇନପୁର କଲୋନୀର ଜଣେ ଆଦିବାସୀ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଆଉ ସାଂସଦ ପ୍ରତିକ୍ରିୟା ରଖି କହିଥିଲେ ସେହି ଗାଡ଼ିରେ ସେ ଉପସ୍ଥିତ ନଥିଲେ ।

ସୂଚନା ଅନୁସାରେ, ପାଟଣାଗଡ଼-ଗାଈସିଲାଟ ମୁଖ୍ୟ ରାସ୍ତାରେ ରାଜ୍ୟସଭା ସାଂସଦ ଇନୋଭା କାର୍‌ (ଓଡି-୦୩ଏକ୍ସ-୪୬୧୩) ଲରମ୍ଭା ପଟକୁ ଯାଉଥିଲା । ସେତେବେଳେ ବିପରୀତ ଦିଗରୁ ସ୍କୁଟି (ଓଡି-୦୩ଡି-୭୬୦୯) ଯୋଗେ ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଇନ୍ଦପୁର ଗାଁର ଟଙ୍କଧର ଆସୁଥିଲେ । ତମିଆଁ ଓ ସୁନାମୁଦି ଛକ ମଝିରେ ଥିବା ବୁଲାଣିଠାରେ ଉକ୍ତ ସ୍କୁଟିକୁ କାର୍‌ଟି ଧକ୍କା ଦେଇଥିଲା। ଟଙ୍କଧର ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣା ପରେ ଚାଳକ ଦ୍ରୁତ ଗତିରେ କାର୍‌ ନେଇ ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଲରମ୍ଭା ଓ ପାଟଣାଗଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିଲେ । ମୃତଦେହକୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିଲା ।