ଆଫଗାନିସ୍ତାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି, ବିନା ବୁଝାମଣାରେ ସରକାର ଗଠନ କଲା ତାଲିବାନ, ବିଶ୍ୱ ବୁଝି ବିଚାରି ନିଷ୍ପତ୍ତି ନେଉ

185

କନକ ବ୍ୟୁରୋ : ଏସସିଓ ସମ୍ମିଳନୀରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଖୋଲା ଖୋଲି ଆଫଗାନିସ୍ତାନ ସମସ୍ୟା ଉପରେ ନିଜ ବିଚାର ଉପସ୍ଥାପନ କରିଛନ୍ତି । ଗୋଟିଏ ପଟେ ସେ ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଲିବାନକୁ ଟାର୍ଗେଟ୍ କରିଛନ୍ତି । ସେ ତାଙ୍କର ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ସରକାର ବୈଦ୍ଧଭାବେ ଗଠନ ହୋଇ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ କି ଭାରତ ଏହା ମାନୁଛି କି ଆଫଗାନିସ୍ତାନରେ ତାଲିବାନ ଗଠନ କରିଥିବା ସରକାର ବୈଦ୍ଧ ସରକାର ନୁହେଁ । ସେ ପ୍ରଶ୍ନ କରିଛନ୍ତି କି ବିନା ବୁଝାମଣା ଓ ବିତର୍କରେ କିଭଳି ଗୋଟିଏ ସରକାର ଗଠନ ହୋଇପାରିବ । ସେଠାରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ବି ଚିନ୍ତା ପ୍ରକଟ କରିଛନ୍ତି ସରକାର । ତେଣୁ ଏବେ ସାରା ବିଶ୍ୱ ଆଫଗାନିସ୍ତାନରେ ତାଲିବାନ ଗଠନ କରିଥିବା ସରକାରକୁ ନେଇ ଉଚିତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ତାଲିବାନ ମାମଲାରେ ଭାରତ ୟୁଏନର ସମର୍ଥନ କରୁଥିବା କଥା ସେ ସ୍ପଷ୍ଟ ଭାବେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉକ୍ତ ସମ୍ମିଳନୀରେ ଜୋର ଦେଇ କହିଛନ୍ତି କି ତାଲିବାନ ଅସ୍ତ୍ର ବଳରେ ଆଫଗାନରେ ସରକାର ଗଠନ କରିଛି । ଯଦି ତୁରନ୍ତ ବିଶ୍ୱ ସମୁଦାୟ ଆଫଗାନରେ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରୟାସ ନକରିବ ତେବେ ଆଗକୁ ଏହାର ପ୍ରଭାବ ସାରା ଦୁନିଆ ଉପରେ ପଡିବ ବୋଲି ସେ କହିଛନ୍ତି ।

ଆତଙ୍କବାଦକୁ ନେଇ ଏସସିଓ ସମ୍ମିଳନୀରେ ବି ନିଜର ମତ ରଖିଛନ୍ତି । ସେ କହିଛନ୍ତି କି ଆଫଗାନିସ୍ତାନକୁ ଏବେ ଆତଙ୍କବାଦ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ । ଆଫଗାନରେ ଶାନ୍ତି ପ୍ରତିଷ୍ଠା ହେବା ନିହାତି ଆବଶ୍ୟକ । ତାଲିବାନ ହାତରେ ଏବେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିବାରୁ ତାଲିବାନ ନିଜକୁ ଶକ୍ତିଶାଳୀ ମନେ କରୁଛି । ତେଣୁ ବିଶ୍ୱ ସମୁଦାୟ ଏହା ଉପରେ ବିଚାର କରି ତୁରନ୍ତ ଆଫଗିସ୍ତାନରେ କିଭଳି ଶାନ୍ତି ପ୍ରତିଷ୍ଠା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି ।