ବାୟୁରେ ବ୍ୟାପୁଛି କରୋନା । ବିଶେଷଜ୍ଞ ଦେଲେ ବଡ଼ ତଥ୍ୟ । ଜାଣନ୍ତୁ ବାୟୁରେ କେତେ ଘଣ୍ଟା ଧରି ଉପସ୍ଥିତ ରହୁଛି କରୋନା ଭାଇରସ ।

2,406

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା କାୟା ମେଲାଇ ଚାଲିଥିବା ବେଳେ ମହାମାରୀ କୋଭିଡ-୧୯କୁ ନେଇ ବଡ ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ଗତ କିଛି ଦିନ ତଳେ ବିଶ୍ୱର ୩୨ଟି ଦେଶରୁ ୨୩୯ ଜଣ ବୈଜ୍ଞାନିକ ଦାବି କରିଥିଲେ ଯେ, ବାୟୁରେ ମଧ୍ୟ ବ୍ୟାପୁଛି ଏହି ଭୟଙ୍କର କରୋନା ଭାଇରସ । ବୈଜ୍ଞାନିକଙ୍କ ଏହି ତଥ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକାର କରିବା ସହ ଗାଇଡଲାଇନରେ ମଧ୍ୟ କିଛିଟା ପରିବର୍ତନ ହୋଇଥିଲା । ଆଉ ଏବେ କରୋନା ଭାଇରସକୁ ନେଇ ଆସିଛି ଆଉ ଏକ ବଡ଼ ଖବର ।

ବ୍ରିଟେନର ଇମ୍ପେରିୟଲ୍ କଲେଜର ପ୍ରଫେସର ୱେଡି ବାର୍କଲିଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ନିଶ୍ୱାସ ଛାଡିବାର ୧ ଘଂଟା ପରେ ମଧ୍ୟ ବାୟୁରେ ଉପସ୍ଥିତ ରହୁଛି କରୋନା ଭାଇରସ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନା ଭାଇରସର ଅତ୍ୟନ୍ତ ଛୋଟ ଡ୍ରପଲେଟରେ ମଧ୍ୟ ସଂକ୍ରମଣ ଖେଳାଇବାର କ୍ଷମତା ରହିଛି । ଆଉ ଏଥିପାଇଁ ଏହି ଆଶଙ୍କା କରାଯାଉଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ବାୟୁ ମାଧ୍ୟମରେ ମଧ୍ୟ କରୋନା ସଂକ୍ରମିତ ହୋଇପାରେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାୟୁରେ ୧ ଘଂଟାରୁ ଅଧିକ ସମୟ ଧରି ଉପସ୍ଥିତ ରହିପାରେ କରୋନା ଭାଇରସ । ଏହା ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ବାୟୁରେ କରୋନା ଭାଇରସ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।

କରୋନା ଭାଇରସକୁ ନେଇ ପୂର୍ବରୁ ବିଶେଷଜ୍ଞ କହିଥିଲେ ଯେ, ଏହି ଭାଇରସ କାଶିବା, ଛିଙ୍କିବା ବା କଫରୁ ସଂକ୍ରମିତ ହୋଇଥାଏ । ଏପରିକି ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତା ସମୟରେ ମଧ୍ୟ ଏହି ଭାଇରସ ବ୍ୟାପିପାରେ । କିନ୍ତୁ, ବିଶେଷ କରି ବନ୍ଦ କୋଠରୀ ବା ଘରେ, ଯେଉଁଠି ବାହାରୁ ପବନ ଆସିବାର କୌଣସି ମାଧ୍ୟମ ନଥାଏ, ସେଭଳି ବାତାବରଣରେ ଥିବା ବାୟୁରୁ ମଧ୍ୟ କରୋନା ଭାଇରସ ବ୍ୟାପିବାର ଭୟ ଅଧିକ ଥିବା କୁହାଯାଉଛି । ଏପରିକି କିଛି ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି, ଯଦି କୌଣସି କୋଠରୀରେ ଜଣେ ସଂକ୍ରମିତ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ତେବେ ସେଠାରେ ଏୟାର କଣ୍ଡିସନର ବା ଏସିରୁ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।

ସେଥିପାଇଁ ଯଦି ଆପଣ ବନ୍ଦ କଠୋରୀରେ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଅଛନ୍ତି, କିମ୍ବା କୌଣସି ମାର୍କେଟ ସ୍ଥାନରେ ଅଛନ୍ତି, ତେବେ ଆପଣ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିବା ଉଚିତ୍ । ସମସ୍ତେ ସଚେତନ ହେଲେ ଯାଇ କରୋନା ବିପକ୍ଷରେ ଏହି ବଡ଼ ଲଢେଇ ଜିତିବା ସମ୍ଭବ ହେବ ।