କନକ ବ୍ୟୁରୋ : ଗୁଜୁରାଟର ବୈଜ୍ଞାନିକମାନେ ସବୁଠାରୁ ମହଙ୍ଗା ଛତୁ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ଉତ୍ପାଦିତ ହୋଇଥିବା ଏହି ଛତୁର କିଲୋପ୍ରତି ଦାମ ପାଖା ପାଖି ୧.୫ ଲକ୍ଷ ଟଙ୍କା ରହିଛି । ବୈଜ୍ଞାନିକ ମାନେ ୯୦ ଦିନ ଭିତରେ ଲ୍ୟାବର ନିୟନ୍ତ୍ରଣ ବାତାବରଣରେ ୩୫ ଜାର ଛତୁ ଉତ୍ପାଦନ କରିଛନ୍ତି । କଚ୍ଚ ଠାରେ ଥିବା ଗୁଜୁରାଟ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜର୍ଟ ଇକୋଲୋଜି ସଂସ୍ଥାନ ର ବୈଜ୍ଞାନିକ ମାନେ ଏହା କରି ଦେଖାଇଛନ୍ତି । ଉତ୍ପାଦିତ ହୋଇଥିବା ଏହି ଛତୁକୁ କୋରଡାଇସେପସ୍ ମିଲିଟାରିଜ୍ ବୋଲି କୁହାଯାଉଛି । ଏହି ପ୍ରଜାତିର ଛତୁକୁ ତିବ୍ଦତରେ ପ୍ରାକୃତିକ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ ।

Advertisment

ସଂସ୍ଥାନର ନିର୍ଦ୍ଦେଶକ ବି.ବିଜୟ କୁମାର କହିଛନ୍ତି କି କୋରଡାଇସେପସ୍ ମିଲିଟାରିଜ୍ ପ୍ରଜାତିର ଛତୁକୁ ହିମାଳୟ ସୁନା କୁହାଯାଏ । ଏହା ସ୍ୱାସ୍ଥ୍ୟ ପ୍ରତି ଅନେକ ଉପକାର ଓ ଜୀବନଶୈଳୀ ସହିତ ଯୋଡି ହୋଇଥିବା ଅନେକ ରୋଗକୁ ଭଲ କରିଥାଏ । ଏହାସହ ଏହା ବିଶେଷ ଭାବେ ଟ୍ୟୁମର ରୋଗ ଭଲ କରିଥାଏ । ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ କାର୍ତ୍ତିକେୟନ କହିଛନ୍ତି କି, ଏହି ଛତୁକୁ ଲୋକଙ୍କ ଉପରେ ମେଡିକାଲ ଟ୍ରାଏଲ କରିବାକୁ ନିୟାମକଙ୍କ ଠାରୁ ଅନୁମତି ମଗାଯାଇଛି । ଏହି ଛତୁରେ ଥିବା କ୍ୟାନସରରୋଧୀ ପ୍ରଭାବକୁ ନେଇ ଏବେ ଅନୁଧ୍ୟାନ କରାଯାଉଛି । କରୋନା ମହାମାରୀ ପାଇଁ ଏହା ବିଳମ୍ବ ହେଉଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ଏହି ପ୍ରଜାତିର ଛତୁରେ ଏଣ୍ଟି ଅକ୍ସିଡେଣ୍ଟ,ଏଣ୍ଟି ଡାଇବେଟିକ୍, କ୍ୟାନସର ରୋଧୀ, ମେଲେରିଆ ରୋଧୀ ଭଳି ପୋଷକ ତତ୍ୱ ଥିବା କଥା ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି ।