ନରମ କିନ୍ତୁ ଇସ୍ପାତଠୁ ଶକ୍ତ ! କୃତ୍ରିମ ଅସ୍ଥିରଜ୍ଜୁ ପାଇଁ ଫିଟିଲା ବାଟ

66

ଆଉ ଏଣିକି ଆମ ହାଡକୁ ବାନ୍ଧି ରଖୁଥିବା ଲିଗାମେଂଟ ବା ଅସ୍ଥିରଜ୍ଜୁ ନଷ୍ଟ ହେଲେ ଆଉ ଭୟ ରହିବ ନାହିଁ । ଏଥିରେ ସମସ୍ୟା ସୃଷ୍ଟି ହେଲେ ତାହାର ସମାଧାନ କେବେ ବି ଅତି ସହଜ ନଥିଲା । ଏବେ କିନ୍ତୁ ଆଶା ସଂଚାର କରିଛନ୍ତି ଜାପାନର କିଛି ଗବେଷକ । ଡକ୍ଟର ଜଙ୍ଗ ଜିଆଁ ପିଙ୍ଗଙ୍କ ନେତୃତ୍ୱରେ ହିକ୍କାଇଡୋ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ସୃଷ୍ଟି କରିଛନ୍ତି ଏକ ନୂଆ ଧରଣର ହାଇଡ୍ରୋଜେଲ୍ । ହାଇଡ୍ରୋଜେଲ ହେଉଛି ଜୀବ ଅନୁକୂଳ ସାମଗ୍ରୀ ।

20170227-tougher-hydrogel-fabric-33bts2oglwn3jutcuss5q8ଏହା ସାଧାରଣତଃ ସଫ୍ଟ ରୋବଟିକ୍ସ ଓ ଅନ୍ୟ ପ୍ରୟୋଗରେ ବ୍ୟବହାର ହୁଏ । କିନ୍ତୁ ବର୍ତମାନ ବ୍ୟବହାର ହେଉଥିବା ହାଇଡ୍ରୋଜେଲ ଦୀର୍ଘକାଳୀନ ବ୍ୟବହାର ଦୃଷ୍ଟିରୁ ସେଭଳି ଗ୍ରହଣୀୟ ନୁହେଁ କି ଦୃଢ ମଧ୍ୟ ନୁହେଁ । ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି ଏହି ଗବେଷକ ଦଳ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୪୦ ପ୍ରତିଶତ ପାଣି ତଥାପି ଧାତୁଠାରୁ କୌଣସି ମାତ୍ରାରେ କମ ଶକ୍ତ ନୁହେଁ ଏହି ପଦାର୍ଥ । ଏହା ହେଉଛି ନୂଆ ଭାବରେ ସୃଷ୍ଟି ହୋଇଥିବା ଏହି ହାଇଡ୍ରୋଜେଲର କାହାଣୀ ।

ଏହି ବିଜ୍ଞାନୀମାନେ ହାଇଡ୍ରୋଜେଲରେ ପାଣି ସହ ଫାଇବର ଫାବ୍ରିକ୍ସ ମିଶାଇ ତିଆରି କରିଛି ଅଧିକ ଦୃଢ ଓ ନମନୀୟ ପଦାର୍ଥ । ଏହାର ନିର୍ମାଣ ପାଇଁ ସୁଦୃଢ ପ୍ଲାଷ୍ଟିକ ପ୍ରକ୍ରିୟାକୁ ସେମାନେ ଅନୁସରଣ କରିଛନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ପଲିଅମ୍ଫୋଲାଇଟ୍ ଜେଲ୍ ବା ଅତିକ୍ଷୁଦ୍ର ପଲିମର କଣିକା ସହ ପ୍ରାୟ ୧୦ ମାଇକ୍ରୋ ମିଟର ବାସର କାଚ ତନ୍ତୁ ବା ଫାଇବରକୁ ମିଶାଇ ଏହି ନୂଆ ପଦାର୍ଥ ପ୍ରସ୍ତୁତ କରାଯାଇଛି । ଗ୍ଲାସ ଫାଇବରରୁ ପୂର୍ବ ପ୍ରସ୍ତୁତ ହୋଇଥିବା ପଲିଆମ୍ଫୋଲାଇଟ୍ ଦ୍ରବଣରେ ବୁଡାଇ ତିଆରି ହୁଏ ଏହି ଦୃଢ ନମନୀୟ ପଦାର୍ଥ ।

ଏହି ହାଇଡ୍ରୋଜେଲ୍କୁ ନଷ୍ଟକରିବା ଦୃଷ୍ଟିର ଆକଳନ କଲେ ଆବଶ୍ୟ ହେଉଥିବା ଶକ୍ତି ଅନୁପାତ ଅନୁସାରେ କାଚ ତନ୍ତୁ ବା ଫାଇବରଠାରୁ ଏହା ୨୫ଗୁଣରୁ ଅଧିକ ଏବଂ ସାଧାରଣ ହାଇଡ୍ରୋଜେଲଠାରୁ ୧୦୦ଗୁଣ ଅଧିକ ଦୃଢ । ଫାଇବର ଓ ହାଇଡ୍ରୋଜେଲ୍ ମଧ୍ୟରେ ଗତିଶୀଳ ଆୟନଯୁକ୍ତ ବନ୍ଧ ଯୋଗୁଁ ଏହା ଅଧିକ ଦୃଢ ହୋଇପାରିଛି ବୋଲି ଗବେଷକମାନେ ସୂଚନା ଦେଇଛନ୍ତି । ଏନେଇ ବିଜ୍ଞାନ ପତ୍ରିକା ଆଡଭାନ୍ସ ଫଙ୍କସନାଲ ମାଟେରିଆଲ୍ସରେ ନିବନ୍ଧ ପ୍ରକାଶ ପାଇଛି । ନୂତନ ଭାବେ ନିର୍ମାଣ ହୋଇଥିବା ଏହି ହାଇଡ୍ରୋଜେଲ୍ ଇସ୍ପାତଠାରୁ ୫ ଗୁଣ ଅଧିକ ଶକ୍ତ ବୋଲି ଗବେଷକ ମତ ଦେଇଛନ୍ତି ।

ଗବେଷକ ଦଳର ମୁଖ୍ୟ ଡକ୍ଟର ଜଙ୍ଗ ଜିଆଁ ପିଙ୍ଗଙ୍କ ମତରେ ଏହି ପଦାର୍ଥର ବିଶ୍ୱସନୀୟତା, ଦୀର୍ଘସ୍ଥାୟୀତା ଓ ନମନୀୟତା ଏହାର ବ୍ୟବହାରକୁ ଅଧିକ ବ୍ୟାପକ କରିବ । ଉଦାରଣ ସ୍ୱରୂପ ଫେସନ ଓ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର ସହ ଏହା କୃତ୍ରିମ ଲିଗାମେଂଟ ଓ ଟେଣ୍ଡନ ପରି ଅଧିକ ଦୃଢ ପଦାର୍ଥ ନିର୍ମାଣରେ ସହାୟକ ହୋଇପାରିବ ବୋଲି ଡ. ପିଙ୍ଗ୍ କହିଛନ୍ତି । ଆଗାମୀ ଦିନରେ ଏହି କୌଶଳ ରବର ପରି ନମନୀୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ଆଶା ରଖିଛନ୍ତି ଗବେଷକ ।