କରୋନାକୁ ନେଇ ବୈଜ୍ଞାନିକଙ୍କ ନୂଆ ତଥ୍ୟ । ଦେଶରେ ନଭେମ୍ବରରୁ ପ୍ରବେଶ କରିଛି କରୋନା ଭୂତାଣୁ ।

1,406

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତ ସଂଖ୍ୟା ୮ ହଜାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ହଜାର ଟପି ସାରିଲାଣି । ଏହାରି ଭିତରେ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଦେଇଛନ୍ତି । ସେମାନଙ୍କ କହିବା କଥା ଭାରତରେ ପ୍ରଥମ ସଂକ୍ରମଣର ଚିହ୍ନଟ ସିନା ଜାନୁୟାରୀ ମାସରେ ହୋଇଛି । ମାତ୍ର ଦେଶରେ କରୋନା ଭୂତାଣୁ ନଭେମ୍ବର, ୨୦୧୯ରୁ ପ୍ରବେଶ କରି ସାରିଛି ।

କରୋନାକୁ ନେଇ ବୈଜ୍ଞାନିକଙ୍କ ନୂଆ ତଥ୍ୟ । ଦେଶରେ ନଭେମ୍ବରରୁ ପ୍ରବେଶ କରିଛି ଭୂତାଣୁ । ଭାରତରେ କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ମାମଲା ଜାନୁୟାରୀ ୩୦ ତାରିଖରେ ଚିହ୍ନଟ ହୋଇଥିଲା । ଚୀନର ଉହାନ ସହରରୁ ଫେରିଥିବା କେରଳର ଜଣେ ବାସିନ୍ଦା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ପାଖରୁ ଚିହ୍ନଟ ହୋଇଥିବା ଭୂତାଣୁର ସ୍ରୋତ ଉହାନ ସହରରୁ ଆସିଥିଲା ବୋଲି ବିଶେଷଜ୍ଞ ମତ ଦେଇଥିଲେ । ହେଲେ ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଭାରତରେ ଗତବର୍ଷ ନଭେମ୍ବର ମାସରୁ କରୋନା ଭୂତାଣୁ ପ୍ରବେଶ କରି ସାରିଛି । ବୈଜ୍ଞାନିକ ଅନୁମାନ କରୁଛନ୍ତି ଯେ, ୨୬ ନଭେମ୍ବରରୁ ୨୫ ଡିସେମ୍ବର ମଧ୍ୟରେ କରୋନା ଭୂତାଣୁ ଭାରତ ଆସିଥାଇପାରେ । ଚୀନ ସହ ଜଡିତ ଭୟଙ୍କର ନଭେଲ କରୋନା ଭୂତାଣୁର ସଂକ୍ରମଣ ଭାରତରେ ନଭେମ୍ବର ମାସରୁ ବ୍ୟାପିବା ଆରମ୍ଭ କରିଛି ।

ତେଲେଙ୍ଗାନା ଓ ଅନ୍ୟ ରାଜ୍ୟରେ ବ୍ୟାପୁଥିବା କରୋନା ଭୂତାଣୁର ଷ୍ଟ୍ରେନରୁ ଜଣାପଡିଛି ଯେ, ଏହା ନଭେମ୍ବର ବା ଡିସେମ୍ବର ମାସରେ ଭାରତ ପ୍ରବେଶ କରିଛି । ହାଇଦ୍ରାବାଦର ସେଂଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲର ବାୟୋଲୋଜି ଭାରତରେ ବ୍ୟାପୁଥିବା କରୋନା ଭୂତାଣୁ ଆସିବା ସମୟର ଆକଳନ କରିଛି ।

‘ମୋଷ୍ଟ ରିସେଂଟ୍ କମନ୍ ଆନସେଷ୍ଟର’ ପରୀକ୍ଷଣରୁ ଏମଆରସିଏର ବୈଜ୍ଞାନିକଙ୍କ ହାତରେ ଲାଗିଛି ଏଭଳି ତଥ୍ୟ । ଭାରତରେ ବ୍ୟାପୁଥିବା କରୋନା ଭୂତାଣୁର ନୂଆ ରୂପକୁ ମଧ୍ୟ ଠାବ କରିଛନ୍ତି ବିଶେଷଜ୍ଞମାନେ । ଏହି ଷ୍ଟ୍ରେନର ନାମ ଏ-ଥ୍ରି ଆଇ ରଖାଯାଇଛି । କେରଳରେ ପ୍ରଥମ ରୋଗୀଙ୍କଠାରୁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଯାଂଚ ପରେ ଏହା ଚୀନର ଉହାନର କରୋନା ଭୂତାଣୁ ସହ ମେଳ ଖାଇଥିଲା । ହେଲେ ହାଇଦ୍ରାବାଦରେ ଚିହ୍ନଟ କରୋନା ରୋଗୀଙ୍କ ଭୂତାଣୁର ଉତ୍ପତି ଚୀନ ନୁହେଁ ବରଂ ଏହା ଦକ୍ଷିଣ ପୂର୍ବ ଏସିଆରୁ ଆସିଥିବା ଅନୁମାନ କରାଯାଉଛି । ଏ-ଥ୍ରି ଆଇ କରୋନା ଭୂତାଣୁ କେଉଁ ଦେଶରୁ ଆସିଛି ଜଣାପଡିନଥିବା ବେଳେ ଏହାର ଉତ୍ପତି ଚୀନ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ବୈଜ୍ଞାନିକ । ଏବେ ଠାବ ହୋଇଥିବା ନୂଆ ରୁପର କରୋନା ଭୂତାଣୁ ବା ଏ-ଥ୍ରୀ-ଆଇ ବିଶେଷ କରି ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ବ୍ୟାପିବାରେ ଲାଗିଛି ।

ବୈଜ୍ଞାନିକଙ୍କ ଦ୍ୱାରା ଠାବ ହୋଇଥିବା କରୋନା ଭୂତାଣୁର ଏହି ରୂପର ଉତ୍ପତି କେଉଁ ଦେଶରୁ ହୋଇଛି, ସେନେଇ କୌଣସି ତଥ୍ୟ ମିଳିନାହିଁ । ତେବେ ପୂର୍ବରୁ ଥିବା ଭୂତାଣୁର ରୂପ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି ।