ନିଶ୍ୱାସ ନେବାକୁ ମଣିଷକୁ କରିବାକୁ ପଡିବ ସଂଘର୍ଷ, କାରଣ କିଛି ଦଶନ୍ଧି ଭିତରେ ନଷ୍ଟ ହୋଇଯିବ ବିଶ୍ୱର ଫୁସଫୁସ କୁହାଯାଉଥିବା ଆମାଜନ ଜଙ୍ଗଲ!

688

କନକ ବ୍ୟୁରୋ : ନିଶ୍ୱାସ ନେବାକୁ ମଣିଷ କରିବ ସଂଘର୍ଷ । ଅମ୍ଲଜାନ ବିନା ହନ୍ତସନ୍ତ ହେବ ଜୀବଜଗତ । କିଛି ଏମିତି ସ୍ଥିତି ଆଉ ୪୦ ବର୍ଷ ପରେ ଦେଖିବାକୁ ମିଳିପାରେ । କାରଣ ବିଶ୍ୱର ଫୁସଫୁସ କୁହାଯାଉଥିବା ତଥା ସବୁଠୁ ବଡ ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ପଡିଆ ପାଲଟି ଯାଇପାରେ । ବିଶ୍ୱର ସବୁଠୁ ବଡ ଜଙ୍ଗଲ କୁହାଯାଉଥିବା ଆମାଜନ ଆଗାମୀ ୨୦୬୪ ମଧ୍ୟରେ ନିଶ୍ଚିହ୍ନ ହୋଇପାରେ ବୋଲି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଜିଓଲୋଜିଷ୍ଟ ରର୍ବଟ ୱାଲକର ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ପୂରା ବିଶ୍ୱକୁ ୨୦ ପ୍ରତିଶତ ଅମ୍ଲଜାନ ଯୋଗାଉଥିବା ଆମାଜନ ଜଙ୍ଗଲକୁ ଦୁନିଆର ଫୁସଫୁସ ବୋଲି କୁହାଯାଏ । ଏହି ଜଙ୍ଗଲ ୨.୧ ମିଲିୟନ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପିଛି । ବ୍ରାଜିଲରୁ ଆମେରିକା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଜଙ୍ଗଲ ଯଦି ଗୋଟିଏ ଦେଶ ହୋଇଥାନ୍ତା ତେବେ ଏହା ବିଶ୍ୱର ୯ମ ବଡ଼ ଦେଶ ଭାବେ ଉଭା ହୋଇଥାନ୍ତା । ତେଣୁ ଏହି ଜଙ୍ଗଲ ନିଶ୍ଚିହ୍ନ ହେବା ମାନବ ସଭ୍ୟତା ପାଇଁ ବଡ ଧରଣର ବିପଦ ସୃଷ୍ଟି କରିପାରେ ।

ବିଶ୍ୱର ଏହି ବଡ ଜଙ୍ଗଲକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ବେଶ ଚିନ୍ତାଜନକ । କାରଣ କିଛି ଦଶନ୍ଧି ପରେ ବିଶ୍ୱର ଏହି ବଡ ଜଙ୍ଗଲର ମାନ୍ୟତା ପାଇଥିବା ଆମାଜନ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯିବ ଓ ସବୁଜିମାରେ ଭରପୁର ଥିବା ଜଙ୍ଗଲ ମରୂଭୂମିର ରୂପ ନେଇଯିବ ବୋଲି କହିଛନ୍ତି ରର୍ବଟ । ଲଗାତାର ଜଳବାୟୁରେ ପରିବର୍ତ୍ତନ ଓ ଜଙ୍ଗଲକାଟ ଫଳରେ ୨୦୬୪ ସୁଦ୍ଧା ଆମାଜନ ଜଙ୍ଗଲ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ । କାରଣ ଆମାଜନ ଜଙ୍ଗଲ ଥିବା ଅଞ୍ଚଳରେ ଏବେ ଦ୍ରୁତ ଗତିରେ ଜଳବାୟୁରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ଜଙ୍ଗଲ ବାବଦରେ ଅଧିକ ଗବେଷଣା ସହ ରର୍ବଟ କହିଛନ୍ତି ଗୋଟିଏ ମରୁଡିଗ୍ରସ୍ତ ଜଙ୍ଗଲକୁ ସବୁଜିମାରେ ଭରପୂର ହେବାକୁ ୪ ବର୍ଷରୁ ଅଧିକ ସମୟ ଲାଗିଥାଏ । ତେଣୁ ଆମାଜନରେ ଥରେ ମରୁଡି ଦେଖାଦେଲେ ତାହା ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ ।

ଆମାଜନ ଜଙ୍ଗଲକୁ ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ଜଙ୍ଗଲ ବୋଲି କୁହାଯାଇଥାଏ । କାରଣ ଏହି ଜଙ୍ଗଲରେ ବାସ କରୁଥିବା ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀଙ୍କ ପାଇଁ ଏହାକୁ ବିପଦପୂର୍ଣ୍ଣ ବୋଲି କୁହାଯାଏ । ସେହିଭଳି ଏହା ଯେତିକି ବିପଦପୂର୍ଣ୍ଣ ତାହା ଠାରୁ ଅଧିକ ସୁନ୍ଦର ମଧ୍ୟ । ସବୁଜିମାରେ ଭରପୂର ଜଙ୍ଗଲ, ସଫା ପାଣିର ଭଣ୍ଡାର ସାଜିଛି ଏହି ଜଙ୍ଗଲ । ଏପରିକି ଜୈବ-ବିବିଧତାର ସବୁଠୁ ବଡ ଉଦାହରଣ ସାଜିଛି ଆମାଜନ ଜଙ୍ଗଲ । ତେବେ ଗତବର୍ଷର ପ୍ରଥମ ଚାରିମାସରେ ବ୍ରାଜିଲ ପଟକୁ ରହିଥିବା ଆମାଜନ ଜଙ୍ଗଲର ୧୨୦୨ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଥିବା ଜଙ୍ଗଲକୁ କାଟି ସଫା କରିଦିଆଯାଇଛି । ଯାହାକୁ ନେଇ ବୈଜ୍ଞାନିକ ମାନେ ଏବେଠୁ ଚେତାଇ ଦେଲେଣି ।

ବୈଜ୍ଞାନିକ କହିଛନ୍ତି, ଯେଉଁଭଳି ଭାବେ ଆମାଜନ ଜଙ୍ଗଲକୁ କଟାଯାଉଛି ତାହା ଜୈବ ବିବିଧତାକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇ ଦେବ । କାରଣ ଜଙ୍ଗଲ ଧ୍ୱଂସ ହେବା ଫଳରେ ଏହା ଘାସ ପଡିଆ ସଦୃଶ ପାଲଟିଯିବ । ଯାହା ଉଭୟ ଜୀବଜନ୍ତୁ ଓ ମଣିଷ ଉପରେ ପ୍ରଭାବ ପକାଇବ । ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗତ ୧୮ ବର୍ଷ ମଧ୍ୟରେ ଆମାଜନ ଜଙ୍ଗଲର ୮ ପ୍ରତିଶତ ଅଞ୍ଚଳରେ ଗଛ କାଟି ଏହାକୁ ପଡିଆ କରାହୋଇଛି । ଯାହା ସ୍ପେନ ଠାରୁ ମଧ୍ୟ ବଡ ଅଞ୍ଚଳ ହେବ । ତେବେ ଆମାଜନର ବିଲୋପ ପୃଥିବୀବାସୀଙ୍କ ପାଇଁ ବଡ ବିପଦ ଆଣିପାରେ । ତେଣୁ ଏବେଠୁ ସଚେତନ ହେବାର ସମୟ ଆସିଛି ବୋଲି କହିଛନ୍ତି ବୈଜ୍ଞାନିକ ।