କନକ ବ୍ୟୁରୋ: କମୁଛି ପୃଥିବୀର ଚୁମ୍ବକୀୟ କ୍ଷମତା । ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ପୃଥିବୀର ଚୁମ୍ବକୀୟ କ୍ଷମତା ଧିରେ ଧିରେ ହ୍ରାସ ପାଉଥିବା ନେଇ ସ୍ପଷ୍ଟ କରିଛନ୍ତି ବୈଜ୍ଞାନିକ । ଯାହାର ପ୍ରଭାବ ବର୍ତ୍ତମାନ ଉଭୟ ସାଟେଲାଇଟ୍ ଏବଂ ସ୍ପେସ କ୍ରାଫ୍ଟ ଉପରେ ପଡୁଥିବାର ଦେଖିବାକୁ ମିଳିଛି ।  ଦକ୍ଷିଣ ଆଟଲାଣ୍ଟିକ ଅନୋମଲି ଭାବେ ଜଣାଶୁଣା ଅଂଚଳ ଏବେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଯାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଫଳରେ ମହାକାଶରେ ଚକ୍କର ଲଗାଉଥିବା ଉପଗ୍ରହ ଏବଂ ମହାକାଶ ଯାନକୁ ଯାନ୍ତ୍ରିକ ସମସ୍ୟାର ଶିକାର ହେବାକୁ ପଡ଼ୁଛି। ତେବେ ଏହି ପୂରା ସଙ୍କଟର ଖୁଲାସା ୟୁରୋପୀୟ ସ୍ପେସ୍ ଏଜେନ୍ସି ତଥା ଇଏସଏ କରିଛି।

Advertisment

ଇଏସଏର ତଥ୍ୟ ଅନୁଯାୟୀ, ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ପଡ଼ୁଛି। ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ପୃଥିବୀ ମହାକାଶରୁ ହେଉଥିବା ବିକିରଣ ଏବଂ ସୂର୍ଯ୍ୟରୁ ବାହାରୁଥିବା ଚାର୍ଜିତ କଣିକାରୁ ବର୍ତ୍ତି ପାରିଥାଏ। ଏବେ ଏହି ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା ଆରମ୍ଭ ହୋଇଯାଇଛି । ୧୯୭୦ ଏବଂ ୨୦୨୦ ମଧ୍ୟରେ ଏହି ଅଂଚଳର କ୍ଷମତା ପାଖାପାଖି ୮ ପ୍ରତିଶତ ହ୍ରାସ ପାଇଛି । କେବଳ ଗତ ଦଶନ୍ଧିରେ ଦକ୍ଷିଣ ଆଟଲାଣ୍ଟିକରେ ନୂଆ ଅସନ୍ତୁଷ୍ଟତା ଦେଖାଦେଇଛି । ଯାହା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟପଟେ, ଜର୍ମାନୀ ରିସର୍ଚ୍ଚ ସେଂଟର ଫର ଜିୟୋସିକ୍ସର ବୈଜ୍ଞାନିକଙ୍କ ମତ ଅନୁସାରେ, ପୃଥିବୀର ମୁଖ୍ୟ ଚାଳନା ପରିବର୍ତ୍ତନରେ ହେଉଥିବା ପ୍ରକ୍ରିୟାଗୁଡିକୁ ବୁଝିବା ବର୍ତ୍ତମାନ ଆମ ପାଇଁ ଚ୍ୟାଲେଂଜ ପାଲଟିଯାଇଛି । କାରଣ ଦୁର୍ବଳ ପଡି ଯାଇଥିବା ଅଂଚଳରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଓଲଟା ହେବାକୁ ଯାଉଛି ବୋଲି ସଂକେତ ଦେଉଛି । ପୂର୍ବରୁ ଏକ ରିପୋର୍ଟରେ ଖୁଲାସା ହୋଇଥିଲା ଯେ, ପୃଥିବୀର ଏକ ଉତ୍ତର ମେରୁ କାନାଡାରେ ନିଜ ମୂଳ ସ୍ଥାନରୁ ଋଷର ସାଇବେରିଆ ଆଡକୁ ବର୍ଷକୁ ୫୦ରୁ ୬୦ କିମି ବେଗରେ ଗତି କରୁଛି ।  ତେବେ ଇଏସଏର ସୂଚନା ଅନୁସାରେ, ଦକ୍ଷିଣ ଆଟଲାଣ୍ଟିକ ଅନୋମଲି କାରଣରୁ ପୃଥିବୀ ପରିକ୍ରମା କରିବାରେ ସମସ୍ୟା ସୃଷ୍ଟି କରୁଛି । ଫଳରେ ସଂପୃକ୍ତ ଅଂଚଳରେ ଉଡାଣ ଭରୁଥିବା ମହାକାଶ ଯାନକୁ ମଧ୍ୟ ବୈଷୟିକ ତ୍ରୁଟିର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ସ୍ପଷ୍ଟ କରିଛି ଇଏସଏ ।