ଆଗରେ ବାଇଡେନ ପଛରେ ପଡିଲେ ଟ୍ରମ୍ପ: ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କୁ ୬୬ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ

ପଛରେ ରହିଥିଲେ ବି ୨୦୧୬ ତୁଳନାରେ ଟ୍ରମ୍ପଙ୍କୁ ୧୬ପ୍ରତିଶତ ଅଧିକ ସମର୍ଥନ

797

କନକ ବ୍ୟୁରୋ: ଆଗରେ ବାଇଡେନ ପଛରେ ପଡିଲେ ଟ୍ରମ୍ପ । ରାଷ୍ଟ୍ରପତି ପଦ ପାଇଁ ୬୬ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ରହିଛି ଡେମୋକ୍ରାଟ ପ୍ରାର୍ଥର୍ୀ ଜୋ ବାଇଡେନଙ୍କୁ । ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି । କିନ୍ତୁ ଟ୍ରମ୍ପଙ୍କ ପାଇଁ ଆଶ୍ୱସ୍ତିକର କଥା ଏହା ଯେ, ଗତ ୨୦୧୬ ତୁଳନାରେ ତାଙ୍କୁ ୧୬ପ୍ରତିଶତ ଅଧିକ ସମର୍ଥନ ମିଳିଛି ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରହିଛି ସମସ୍ତଙ୍କ ନଜର । ରାଷ୍ଟ୍ରପତି ପଦ ପାଇଁ ୬୬ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ରହିଛି ଡେମୋକ୍ରାଟ ପ୍ରାର୍ଥର୍ୀ ଜୋ ବାଇଡେନଙ୍କୁ । ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି । କିନ୍ତୁ ଟ୍ରମ୍ପଙ୍କ ପାଇଁ ଆଶ୍ୱସ୍ତିକର କଥା ଏହା ଯେ, ଗତ ୨୦୧୬ ତୁଳନାରେ ଚଳିତ ଥର ତାଙ୍କୁ ୧୬ପ୍ରତିଶତ ଅଧିକ ସମର୍ଥନ ମିଳିଛି । ୨୦୧୬ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ର ୧୨ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ମିଳିଥିଲା ଏବଂ ଚଳିତ ବର୍ଷ ତାଙ୍କୁ ୨୮ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ମିଳିଛି । ମଙ୍ଗଳବାର ଦିନ ଜାରି କରାଯାଇଥିବା ଇନଡାଏସପୋରା-ଏଏପିଆଇ ସର୍ଭେରୁ ଏହି ତଥ୍ୟ ମିଳିଛି । ଟ୍ରମ୍ପଙ୍କୁ ଭାରତୀୟ ଆମେରିକୀୟଙ୍କ ସମର୍ଥନ ବଢିବା ପଛରେ ଦୁଇଟି କାରଣ ଥିବା କୁହାଯାଉଛି । ପ୍ରଥମ ହେଉଛି ଗତ ଫେବ୍ରୁୟାରୀ ମାସରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ । ଏବଂ ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ ବନ୍ଧୁତା । ସେପଟେ ସିଏଏ ଆଇନ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲେ ଜୋ ବାଇଡେନ ।

ଇନଡାଏସପୋରା- ଏଏପିଆଇ ଦ୍ୱାରା ୧୮ଲକ୍ଷ ପଂଜିକୃତ ମତଦାତାଙ୍କ ବଢୁଥିବା ଦବଦବାର ପୁଷ୍ଟି କରାଯାଇଛି । ଏଥିରେ ୫୬ପ୍ରତିଶତ ମତଦାତାଙ୍କୁ ଡେମୋକ୍ରାଟିକ ପାର୍ଟି ଏବଂ ୪୮ପ୍ରତିଶତଙ୍କୁ ରିପବ୍ଲିକାନ ପାର୍ଟି ଦ୍ୱାରା ଯୋଗାଯୋଗ କରାଯାଇଥିଲା । ତେବେ ୨୦୧୬ରେ କେବଳ ୩୧ପ୍ରତିଶତ ଭାରତୀୟ ଆମରିକୀୟଙ୍କୁ କୌଣସି ଦଳ ଦ୍ୱାରା ଯୋଗାଯୋଗ କରାଯାଇଥିଲା । ଏହାସହ ଆର୍ଥିକ ଭାବେ ସ୍ୱଚ୍ଛଳ ଥିବା ଭାରତୀୟ ଆମେରିକୀୟ ମାନେ ରାଜନୈତିକ ଦଳକୁ ଚାନ୍ଦା ମଧ୍ୟ ଦେଇଛନ୍ତି । ଏକ ଚତୁର୍ଥାଂଶ ଲୋକଙ୍କ କହିବା କଥା ହେଲା ସେମାନେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ ଓ ଅନ୍ୟ କୌଣସି କ୍ୟାମ୍ପେନକୁ ୩୦ଲକ୍ଷ ଡଲାର ଦାନ କରିଛନ୍ତି ।

ତେବେ ଚଳିତ ବର୍ଷ ଜୋ ବାଇଡେନଙ୍କୁ ମିଳିଥିବା ୬୬ପ୍ରତିଶତ ସମର୍ଥନ ପୂର୍ବ ବର୍ଷ ଗୁଡିକ ତୁଳନାରେ କମ ରହିଛି । ୨୦୧୬ରେ ହିଲାରୀ କ୍ଲିଂଟନଙ୍କୁ ୭୭ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ମିଳିଥିଲା । ସେହିପରି ୨୦୧୨ରେ ବାରାକ ଓବାମାକୁ ୮୪ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ମିଳିଥିଲା ।