ଗାୟତ୍ରୀ ମନ୍ତ୍ର ଜପ କଲେ ଭଲ ହେବ କି କରୋନା ? କୋଭିଡ୍ ଆକ୍ରାନ୍ତ ରୋଗୀଙ୍କୁ ନେଇ ରିଷିକେଶର ଏମ୍ସ ଚଳାଇଛି ଗବେଷଣା

104

କନକ ବ୍ୟୁରୋ : ଗାୟତ୍ରୀ ମନ୍ତ୍ର ଜପ କଲେ ଭଲ ହେବ କି କରୋନା ? ଏନେଇ ଏମ୍ସ ରିଷିକେଶ ଆରମ୍ଭ କରିଛି ଗବେଷଣା । କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ଉପରେ ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ଏବଂ ପ୍ରାଣାୟମର କି ପ୍ରଭାବ ରହିଛି, ତା’ ଉପରେ ଗବେଷଣା ଚାଲିଛି । ଏଥିପାଇଁ ୨୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୧୦ ଜଣ ରଖାଯାଇଛି ।

ଗୋଟିଏ ଗ୍ରୁପର ରୋଗୀଙ୍କୁ ପ୍ରୋଟୋକଲ୍ ଅନୁଯାୟୀ କେବଳ କରୋନା ଚିକିତ୍ସା କରାଯାଉଛି । ଅନ୍ୟ ଗ୍ରୁପର ରୋଗୀଙ୍କୁ କରୋନା ଚିକିତ୍ସା କରିବା ସହ ସେମାନଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ କୁହାଯାଇଛି । ଏବଂ ସକାଳେ ଓ ସଂଧ୍ୟାରେ ଦୈନିକ ଏକ ଘଂଟା ଲେଖାଏଁ ପ୍ରାଣାୟମ କରୁଛନ୍ତି ଏହି ଗ୍ରୁପର ରୋଗୀ । ୧୪ ଦିନ ଧରି ଏହାକୁ ଅନୁଧ୍ୟାନ କରିବେ ଏମ୍ସ ରିଷିକେଶର ବିଶେଷଜ୍ଞ । ୨ଟି ଯାକ ଗ୍ରୁପରେ ଥିବା ରୋଗୀଙ୍କ ଶରୀରରେ ସଂକ୍ରମଣ କିପରି ରହୁଛି, ଅନ୍ୟାନ୍ୟ ପ୍ରତିକ୍ରିୟାକୁ ପ୍ରତିଦିନ ରେକର୍ଡ କରାଯିବ ।

ଗବେଷଣା ପୂର୍ବରୁ ପ୍ରତ୍ୟେକ ରୋଗୀଙ୍କ ଛାତି ଏକ୍ସ-ରେ, ସି-ରିଆକ୍ଟିଭ୍ ପ୍ରୋଟିନ୍ ଓ ସଂକ୍ରମଣସ୍ତର ଆଦି ରେକର୍ଡ କରାଯାଇଛି । ପ୍ରତିଦିନର ପରିବର୍ତନକୁ ଲକ୍ଷ୍ୟ ରଖିଛନ୍ତି ଡାକ୍ତର । ଏହି ଗବେଷଣାକୁ ସହାୟତା ଯୋଗାଇ ଦେଉଛି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ବିଭାଗ । ତେବେ ଗବେଷଣା ସଂପର୍କରେ ସବିଶେଷ ବିବରଣୀ ଦେବାକୁ ମନା କରିଛନ୍ତି ଏମ୍ସ ରିଷିକେଶ କର୍ତୃପକ୍ଷ ।