ଦୀପାବଳି ଭିତରେ ଖୋଲିବନି ସ୍କୁଲ ! ଦିନେ ଦୁଇ ଦିନ ମଧ୍ୟରେ ହୋଇପାରେ ଘୋଷଣା; ୯ମରୁ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ବିଚାରବିମର୍ଶ

626

କନକ ବ୍ୟୁରୋ : ଦଶହରା ଛୁଟି ପରେ ଓଡ଼ିଶାରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ରାଜ୍ୟରେ କରୋନା ସଂକ୍ରମଣ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ଏବେ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ତଥା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରି ଆସିବା ନେଇ ବିଶେଷଜ୍ଞମାନେ ଆକଳନ କରୁଥିବାରୁ ରାଜ୍ୟ ସରକାର ଆଉ ୧୫ ଦିନ ସମୟ ଗଡ଼ାଇଛନ୍ତି । ଏହି ସମୟ ମଧ୍ୟରେ କରୋନା ସ୍ଥିତି ଉପରେ ନଜର ରଖାଯିବ । ଯଦି ବର୍ତମାନର ସ୍ଥିତି ସ୍ଥିର ରହେ କିମ୍ବା ସଂକ୍ରମଣ ହ୍ରାସ ପାଏ ତେବେ ଦୀପାବଳି ତଥା ନଭେମ୍ବର ୧୪ ପରେ ସ୍କୁଲ ଖୋଲିପାରେ । ସେପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆପାତତଃ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ ଦଶହରା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏବେ ଦଶହରା ସରିଥିବା ବେଳେ ଅକ୍ଟୋବର ୩୧ରେ କୁମାର ପୂର୍ଣ୍ଣିମା ଶେଷ ହେଉଛି । ସେହି ଅନୁଯାୟୀ ନଭେମ୍ବର ୨ରେ ସ୍କୁଲ ଖୋଲିବା ଲାଗି ପ୍ରାୟତଃ ସ୍ଥିର କରାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ସ୍କୁଲ କ୍ୟାମ୍ପସ ସଫା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବା ଲାଗି ଗତ ୯ ତାରିଖରେ ନିର୍ଦେଶ ଦିଆଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବା ସହ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ) ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକ ଖୋଲିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭବିଷ୍ୟତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିୟମାବଳୀ ଜାରି କରି ଉକ୍ତ ଦୁଇ ଶ୍ରେଣୀ ଖୋଲାଯିବ। ସମସ୍ତ ଶ୍ରେଣୀର ସିଲାବସ୍‌କୁ ୩୦% ହ୍ରାସ କରାଯାଇଛି । ଯଦି ଦରକାର ପଡ଼େ ତେବେ ଆଉ ହ୍ରାସ କରାଯାଇପାରେ। ତେବେ ସିବିଏସ୍‌ଇ ଓ ଆଇସିଏସ୍‌ସିଇ ବୋର୍ଡର ପରବର୍ତୀ ପଦକ୍ଷେପ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ।

ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ କେତେକ ରାଜ୍ୟ ନଭେମ୍ବରରେ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି । ନଭେମ୍ବର ୨ରୁ ଉତ୍ତରାଖଣ୍ଡରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆନ୍ଧ୍ରପ୍ରଦେଶରେ ବି ନଭେମ୍ବର ୨ରୁ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ ଏବଂ ମଧ୍ୟାହ୍ନ‌ଭୋଜନ ପରେ ସ୍କୁଲ ଛୁଟି କରାଯିବ । ଆସାମରେ ଇତିମଧ୍ୟରେ ଅଫ୍‌ ଲାଇନ୍‌ କ୍ଲାସ ଆରମ୍ଭ ହୋଇଛି । ନଭେମ୍ବର ପହିଲାରୁ ୬ରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଯୋଜନା କରାଯାଇଛି । ନଭେମ୍ବର ୨ରୁ ହିମାଚଳପ୍ରଦେଶରେ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ । ତେବେ ଓଡ଼ିଶା ସମେତ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଶ୍ଚିମବଙ୍ଗ ପରି କେତେକ ରାଜ୍ୟ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ।