କେବେ ସ୍କୁଲ ଯିବେ ପ୍ରାଇମେରୀ ସ୍କୁଲ ପିଲା ? ଜାଣନ୍ତୁ କ’ଣ କହିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

897

କନକ ବ୍ୟୁରୋ : କେବେ ଖୋଲିବ ପ୍ରାଥମିକ ସ୍କୁଲ ? ଏ ଯାଏ ପ୍ରାଥମିକ ସ୍କୁଲ ଖୋଲିବା ନେଇ କିଛି ନିଷ୍ପତ୍ତି ହୋଇ ନାହିଁ । ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସିଛି । ସରକାର ନିଷ୍ପତ୍ତି ନେଇ ନାହାନ୍ତି । ପିଲାମାନଙ୍କ ବ୍ୟସ୍ତତା ବୃଦ୍ଧି ପାଇଲାଣି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେହିଭଳି ପୂଜା ପାଇଁ ହାଇକୋର୍ଟ ବି ମୂର୍ତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଠିକ କହିଲେ । ସବୁ ଦିଗକୁ ନେଇ ବିଚାର ଚାଲିଛି ।

ଅନ୍ୟପକ୍ଷରେ ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ‌ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ । ଦଶହରା ପୂର୍ବରୁ କ୍ୟାମ୍ପସ ସଫେଇ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଦୁଇ ଦିନ ତଳେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏନେଇ ବିଶଦ ଆଲୋଚନା ବି ହୋଇଛି । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଖୋଲିବା ନେଇ ‌ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ତା’ପୂର୍ବରୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

କ୍ୟାମ୍ପସ ସହ କ୍ଲାସରୁମ୍‌ ସଫେଇ ଉପରେ ପ୍ରାଥମିକତା ଦେବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି । ଯେପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ଯାଏ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ, ପଡ଼ା, ବସ୍ତି, ଗୋଷ୍ଠୀକୁ ଯାଇ ପିଲାଙ୍କୁ ପଢ଼ାନ୍ତୁ । ୧୦ରୁ ୧୫ ପିଲାଙ୍କୁ ଏକାଠି କରି ପଢ଼ାଇଲେ କୌଣସି ଅସୁବିଧା ନାହିଁ । ମାଲକାନଗିରି, ଖୋର୍ଦ୍ଧା, ସୋନପୁର ପ୍ରଭୃତି ଜିଲ୍ଲାରେ ଏଭଳି ଶିକ୍ଷାଦାନ କରାଯାଉଛି । ଏପର୍ଯ୍ୟନ୍ତ ଆରମ୍ଭ କରି ନ ଥିବା ଜିଲ୍ଲାଗୁଡ଼ିକ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ।