ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ ? ରାଜ୍ୟ ସରକାରଙ୍କୁ ସୁପାରିଶ କରିବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

 ଅଧ୍ୟକ୍ଷା କହିଲେ, ଶିଶୁଙ୍କ ଠାରେ ଅଧିକ ଥାଏ ରୋଗ ପ୍ରତିରୋଧକ ଶକ୍ତି; ସେପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଲା, ସ୍କୁଲକୁ ଦୈନିକ ସାନିଟାଇଜ କରିବା ଆବଶ୍ୟକ

429

କନକ ବ୍ୟୁରୋ : ପ୍ରଥମରୁ ପଞ୍ଚମ ଣ୍ରେଣୀ ସ୍କୁଲ ଖୋଲିବା ଦରକାର । ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପ୍ରାଥମିକ ଶିକ୍ଷା ହେଉଛି ମୂଳଦୁଆ । ମୂଳଦୁଆ ବିଗିଡିଗଲେ ଉଚ୍ଚ ଶ୍ରେଣୀରେ ବହୁତ ଅସୁବିଧା ହେବ । ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ, ତେଣୁ ପ୍ରଥମଠାରୁ ପଞ୍ଚମ ଶ୍ରେଣୀ ଖୋଲିଲେ କୌଣସି ଅସୁବିଧା ହେବ ନାହିଁ । ତା’ଛଡ଼ା ଶିଶୁଙ୍କ ପାଇଁ ଟିକା ମଧ୍ୟ ଖୁବ ଶୀଘ୍ର ଆସିବ ।

ସ୍କୁଲ ବୁଲିବ କୋଭିଡ ସଚେତନତା ରଥ । ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ସଚେତନତା ଓ ସୁରକ୍ଷା ନେଇ ହେବ ଅଭିଯାନ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଗତ ୧ ତାରିଖରୁ ୪୦ ଦିନିଆ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆସନ୍ତା ୧୯ ତାରିଖରୁ ସ୍ବତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନର ଶୁଭାରମ୍ଭ ହେବ, ଯାହା ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବୁଲି ଶିଶୁମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦେବ । ଏହାସହ ରାଜଧାନୀରେ ରାଜ୍ୟସ୍ତରୀୟ ଏକ ଚାଇଲ୍ଡ ଆସେମ୍ବଲି ବା ଶିଶୁ ବିଧାନସଭାର ଆୟୋଜନ କରାଯିବ ।

ଏଥିରେ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରାଯିବା ସହ ସେମାନଙ୍କ ଦକ୍ଷତା ଓ ମାନସିକତା ପରଖିବ ଆୟୋଗ । ସେହିପରି ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ପରାମର୍ଶଦାତା ବୈଠକ ଆୟୋଜନ କରାଯିବ । ଡିସେମ୍ବର ୧୦ ତାରିଖରେ ୪୦ ଦିନିଆ ଅଭିଯାନ ଶେଷ ହେଉଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ଏହାରି ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।