ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ

୧୦୦ ଦିନ ପାଠପଢା ପରେ ପରୀକ୍ଷା କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ ; ସେପଟେ ଉଚ୍ଚ ଶିକ୍ଷା ସଚିବ କହିଲେ, ନୂଆବର୍ଷରୁ କଲେଜ ଖୋଲିବା ନେଇ କରାଯାଉଛି ଚିନ୍ତା

5,802

କନକ ବ୍ୟୁରୋ : ଜାନୁଆରୀରେ ଖୋଲିପାରେ ସ୍କୁଲ । ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ର ଦିନ ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଚାପ କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପାଠ୍ୟ ଉପକ୍ରମ ଉଦଘାଟନ କରି ଦିଆଯିବ ।

ସେପଟେ, ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ । ୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେ ସିଲାବସ କମାଇବା କଥା ଚିନ୍ତା କରାଯାଇପାରେ । ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ, ଫେଲ ପ୍ରତିଶତ ବଢିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି ।