୧୬ରୁ ନବମ ଶ୍ରେଣୀ କ୍ଲାସରୁମ୍ ପାଠପଢା ! ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି; ୧୦ ଭିତରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

1,896

କନକ ବ୍ୟୁରୋ : ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଜିଯାଏଁ ନିଷ୍ପତ୍ତି ହୋଇପାରିନାହିଁ । ୟୁଜିସି ପକ୍ଷରୁ ୧୦ ଦିନ ହେଲା ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସଂପର୍କିତ ନିୟମାବଳୀ ପ୍ରକାଶ ପାଇସାରିଛି । ତେଣୁ ଚୂଡାନ୍ତ ନିଷ୍ପତ୍ତି ପାଇଁ ଆଜି ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଡକାଯାଇଛି । ଭର୍ଚୁଆଲ ମୋଡରେ ହେବାକୁ ଥିବା ଏହି ବୈଠକରେ ପିଲାଙ୍କ ପାଠପଢା ଓ ପରୀକ୍ଷା ସଂପର୍କରେ ଆଲୋଚନା ହେବ । ଏପରିକି ଉଚ୍ଚ ଶିକ୍ଷାନୁଷ୍ଠାନ କେବେଠାରୁ ଖୋଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟ, ଆଇଟିଆଇ, ଡିପ୍ଲୋମା ଏବଂ ଇଂଜିନିୟରିଂ କଲେଜ ଖୋଲିବା ପାଇଁ ଏଯାଏଁ ନିଷ୍ପତି ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ଗାଇଡଲାଇନ ଜାରି କରାଯାଇଥିବାରୁ, ଅଗଷ୍ଟ ୧୦ ସୁଦ୍ଧା ଶିକ୍ଷାନୁଷ୍ଠାନ ଖୋଲିବାକୁ ଆଜି ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି ।  ଏସଆରସିଙ୍କ ପକ୍ଷରୁ ଜାରି ଅଗଷ୍ଟ ଗାଇଡଲାଇନରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ବିଭାଗଗୁଡିକ ନିଷ୍ପତ୍ତି କରିପାରିବେ ବୋଲି କୁହାଯାଇଛି ।

ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହେବ ବୋଲି ଆଗରୁ କୁହାଯାଇଥିଲା । ସେଥିପାଇଁ ନବମ ପିଲାଙ୍କ ଶ୍ରେଣୀଗୃହ ପାଠପଢା ପାଇଁ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ସେପଟେ ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବା ନେଇ ଅଧିକ ତର୍ଜମା ଚାଲିଛି । ଏକାଦଶ ପିଲାଙ୍କ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ସେମାନଙ୍କ କ୍ଲାସରୁମ୍ ପାଠପଢା ନେଇ ପରବର୍ତୀ ସମୟରେ ନିଷ୍ପତ୍ତି କରିବ ଗଣଶିକ୍ଷା ବିଭାଗ ।