କନକ ବ୍ୟୁରୋ : କରୋନା ମହାମାରୀ ପ୍ରଭାବରେ ଭାରତରେ ଦୀର୍ଘଦିନ ଧରି ସ୍କୁଲ୍ ବନ୍ଦ ରହିଛି। ଏଥିପାଇଁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଭାରତ ୨୯.୨୦ ଲକ୍ଷ କୋଟି ଟଙ୍କା (୪୦୦ ବିଲିଅନ୍ ଡଲାର) କ୍ଷତି ସହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଦକ୍ଷିଣ ଏସିଆର ଦେଶଗୁଡ଼ିକ ମଧ୍ୟରେ ଭାରତ ସର୍ବାଧିକ କ୍ଷତି ସହିବ।
Kanak News is now on WhatsApp
Join and get latest news updates delivered to you via WhatsApp
କରୋନା ପାଇଁ ଦକ୍ଷିଣ ଏସିଆ ଅଞ୍ଚଳର ମୋଟ କ୍ଷତି ୬୨୨ ବିଲିଅନ ଡଲାରରୁ ୮୮୦ ବିଲିଅନ ଡଲାର ମଧ୍ୟରେ ହୋଇପାରେ ବୋଲି ବିଶ୍ୱବ୍ୟାଙ୍କ ଜଣାଇଛି। ଶିକ୍ଷାରେ ହୋଇଥିବା କ୍ଷତିର ପ୍ରଭାବ ଜିଡିପି ଉପରେ ମଧ୍ୟ ପଡ଼ିବ। ଯେତିକି ରାଶି ଶିକ୍ଷାର ଉନ୍ନତିରେ ଖର୍ଚ୍ଚ ହୋଇଛି ତା’ଠାରୁ କରୋନା ଜନିତ କ୍ଷତି ଅଧିକ ହେବ। ଦେଶର ଅର୍ଥନୀତି ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ।
ବିଶ୍ୱବ୍ୟାଙ୍କ ଏହାର ରିପୋର୍ଟ ‘ବିଟେନ୍ ଅର୍ ବ୍ରୋକେନ୍? ଇନ୍ଫର୍ମାଲିଟି ଆଣ୍ଡ୍ କୋଭିଡ୍-୧୯ ଇନ୍ ସାଉଥ୍ ଏସିଆ’ରେ ଦାବି କରିଛି ଯେ କୋଭିଡ୍-୧୯ ମହାମାରୀର ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥିବାରୁ ଏହି ଅଞ୍ଚଳର ଅର୍ଥନୀତି ଗୁରୁତର ପ୍ରଭାବିତ ହେବ। ୨୦୨୦ରେ ଏହି ଅଞ୍ଚଳ ସବୁଠୁ ବଡ଼ ମାନ୍ଦାବସ୍ଥା କବଳରେ ପଡ଼ିବ।
କେତେକ ଦେଶର ସ୍ଥିତି ବହୁତ ଖରାପ ହେବ। ବିଭିନ୍ନ ଦେଶରେ ଦୀର୍ଘଦିନ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଉପରେ ତାହାର ବହୁତ ଖରାପ ପଡ଼ିବ। ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ୍ର ୩୯.୧ କୋଟି ଛାତ୍ରଛାତ୍ରୀ ଅନେକ ଦିନ ହେଲାଣି ସ୍କୁଲ୍ ପାଠପଢ଼ା ଠାରୁ ଦୂରେଇ ରହିଛନ୍ତି। ଶିକ୍ଷାକୁ ନେଇ ଏହି ଅଞ୍ଚଳରେ ଥିବା ଖରାପ ସ୍ଥିତି କରୋନା ମହାମାରୀ ପାଇଁ ଆହୁରି ଖରାପ ହୋଇପଡ଼ିଥିବା ବିଶ୍ୱବ୍ୟାଙ୍କ ଜଣାଇଛି।
କରୋନା ମହାମାରୀ ପ୍ରଭାବ ଯୋଗୁଁ ୫୫ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ୍ ପାଠପଢ଼ା ଛାଡ଼ିବା ଭଳି ସମସ୍ୟା ଦେଖାଦେଇପାରେ। ଏହା ହେଲେ ଶିକ୍ଷା କ୍ଷେତ୍ରକୁ ବଡ଼ ଧରଣର ଧକ୍କା ଲାଗିବା ସହ ଏହି ପିଢ଼ିର ଉତ୍ପାଦକତା ମଧ୍ୟ ହ୍ରାସ ପାଇବ। କରୋନା ମହାମାରୀର ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯିବା ପରଠାରୁ ସ୍କୁଲ୍ଗୁଡ଼ିକ ବନ୍ଦ ରହିଛି।
ଛାତ୍ରଛାତ୍ରୀମାନେ ପାଞ୍ଚ ମାସରୁ ଅଧିକ ସମୟ ସ୍କୁଲ୍ ଠାରୁ ଦୂରେଇ ରହିଛନ୍ତି। ବିଶ୍ୱବ୍ୟାଙ୍କ ମତରେ ଏତେ ଅଧିକ ଦିନ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀମାନେ କେବଳ ନୂଆ ବିଷୟ ଶିକ୍ଷା କରିବାକୁ ବଞ୍ଚିତ ହୋଇନାହାନ୍ତି, ସେମାନେ ପୂର୍ବରୁ ପଢ଼ିଥିବା ଅଧିକାଂଶ ପାଠ ମଧ୍ୟ ଭୁଲି ଯାଇଛନ୍ତି।