ବିହାରରେ କୋହଳ ହେଲା କରୋନା କଟକଣା, ଖୋଲିବ ଶିକ୍ଷାନୁଷ୍ଟାନ ଓ ସିନେମା ହଲ ।

99

କନକ ବ୍ୟୁରୋ : କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ସରକାର କଟକଣା କୋହଳ କରିଛନ୍ତି । ଏବେ ବିହାରରେ ସ୍କୁଲ, କଲେଜ, ଦୋକାନ, ମଲ, ପାର୍କ ଓ ଧାର୍ମିକ ସ୍ଥଳ କିଛି ସର୍ତ୍ତ ସହିତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କୁମାର ଆଜି ବିପର୍ଯୟ ପରିଚାଳନା ବିଭାଗ ସହ ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି କି, “ରାଜ୍ୟରେ କୋଭିଡ-୧୯ ସ୍ଥିତି ସମୀକ୍ଷା କରାଯାଇଛି, କରୋନା ସଂକ୍ରମଣ ସ୍ଥିତିର ସୁଧାର ଆସିଥିବାରୁ ସବୁ ଦୋକାନ, ପ୍ରତିଷ୍ଠାନ, ସପିଂ ମଲ, ପାର୍କ, ଉଦ୍ୟାନ ଓ ଶିକ୍ଷାନୁଷ୍ଟାନ ସାମାନ୍ୟ ରୂପେ ଖୋଲାଯାଇ ପାରିବ, ଏହାସହ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସବୁ ପ୍ରକାର ରାଜନୈତିକ, ମନୋରଞ୍ଜନ, ଖେଳ-କୁଦ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରବେ । ”

ମୁଖ୍ୟମନ୍ତ୍ରୀ ଆହୁରି ଲେଖଇଛନ୍ତି ଯେ, ସବୁ ବିଶ୍ୱ ବିଦ୍ୟାଳୟ,କଲେଜ, ଟେକ୍ନିକାଲ ଶିକ୍ଷା ସଂସ୍ଥା ଓ ବିଦ୍ୟାଳୟ (ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ) ସହିତ କୋଚିଂ ସେଣ୍ଟର ବି ସାମାନ୍ୟ ରୂପେ ଖୋଲାଯାଇ ପାରିବ । ଅନ୍ୟପଟେ ୫୦ ପ୍ରତିଶତ କ୍ଷମତା ସହିତ ସିନେମା ହଲ, କ୍ଲବ, ଜିମ୍, ସ୍ୱିମିଂ ପୁଲ,ରେଷ୍ଟୁରାଣ୍ଟ ଏବଂ ହୋଟେଲ ଖୋଲାଯାଇ ପାରିବ । ଅନ୍ୟପଟେ ତୃତୀୟ ଲହରର ସମ୍ଭାବନା ଥିବାରୁ ବିହାରବାସୀ ସାବଧାନ ରହିବାକୁ ସେ ଅନୁରୋଧ କରିଛନ୍ତି ।

କହିରଖୁ କି ଗତ ୨୪ ଘଂଟା ମଧ୍ୟରେ ବିହାରରେ ମାତ୍ର ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ବର୍ତମାନ ୧୦୨ ଆକ୍ଟିଭ ମାମଲା ରହିଛି ।