କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଧିରେ ଧିରେ ଶୀତ ବଢୁଥିବା ବେଳେ ଦିଲ୍ଲୀ ବାୟୁର ମାନ ଅଧିକ ଖରାପ ହେବାରେ ଲାଗିଛି । ଆଗକୁ ଦିପାବଳୀ ଆସୁଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ଆହୁର ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗାଡି ଚାଳକଙ୍କ ପାଇଁ ପୁଣି ଯୁଗ୍ନ ଅଯୁଗ୍ମ ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଦୀପାବଳି ପର ଦିନ ଅର୍ଥାତ୍ ନଭେମ୍ବର ୧୩ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଯୁଗ୍ନ ଅଯୁଗ୍ମ ନିୟମ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି । ଯୁଗ୍ମ ନମ୍ବର ଲାଇସେନ୍ସଧାରି ଗାଡି ଯୁଗ୍ମ ତାରିଖରେ ଏବଂ ଅଯୁଗ୍ମ ନମ୍ବର ଲାଇସେନ୍ସଧାରି ଗାଡି ଅଯୁଗ୍ମ ତାରିଖରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବଢୁଥିବା ପ୍ରଦୂଷଣକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସେପଟେ ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛି ବିଜେପି ।

Advertisment

ପ୍ରଦୂଷଣ ବଢୁଥିବାରୁ ଦିଲ୍ଲୀରେ ପଂଚମ ଶ୍ରେଣୀ ଯାଏ କ୍ଲାସ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଥିଲେ । ସୋମବାର ଏକାଦଶ ଶ୍ରେଶୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ କରିବାକୁ କେଜରିୱାଲ ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଦଶମ, ଦ୍ୱାଦଶ ଶ୍ରେଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ କ୍ଳାସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ଭିତରେ ବିଏସ-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହରରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ପାଣି ଛିଂଚି ପ୍ରଦୂଷଣ କମାଇବାକୁ ପ୍ରୟାସ ଜାରି ରହିଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏୟାର କ୍ୱାଲିଟି ଇଡେକ୍ସ ୪୫୦ ପାର କରିଛି । ଯାହା ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରକ । ଦିନକୁ ୨୫ରୁ ୩୦ ସିଗାରେଟ ପିଇଲେ ସ୍ୱାସ୍ଥ୍ୟପ୍ରତି ଯେତିକି କ୍ଷତିକାରକ ଦିଲ୍ଲୀ ବାୟୁ ଏବେ ସେତିକି କ୍ଷତିକାରକ ବୋଲି କୁହାଯାଉଛି ।

ବିଶ୍ୱରେ ସବୁଠୁ ପ୍ରଦୂଷିତ ସହର ଭିତରେ ଦିଲ୍ଲୀ ଏକ ନମ୍ବରରେ ରହିଛି । ପଞ୍ଜାବ, ହରିଆଣାରେ କୃଷକମାନେ ବିଲରେ ଜାଳୁଥିବା ନଡାର ଧୂଆଁ ଦିଲ୍ଲୀ ପ୍ରଦୂଷଣର ପ୍ରମୁଖ କାରଣ ବୋଲି କୁହାଯାଉଛି । ପ୍ରଦୂଷଣ କମାଇବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଥିଲେ ବି ତାହା ଯଥେଷ୍ଟ ନୁହେଁ ବିଶେଷଜ୍ଞମାନେ ମତ ଦେଉଛନ୍ତି ।