ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ନୂଆ ନୂଆ ପ୍ରୟାସ…ପାଣି ଜାହାଜରେ ପାଠ ପଢୁଛନ୍ତି ଦୁର୍ଗମ ଅଂଚଳର କୁନି କୁନି ଛାତ୍ରଛାତ୍ରୀ

487

କନକ ବ୍ୟୁରୋ: ପାଣିଜାହାଜ ଭିତରେ ସ୍କୁଲ । ଆଉ ସ୍କୁଲ ଭିତରେ ପାଠପଢା । ତେବେ ଏହା କୌଣସି ସତ ସତିକା ପାଣି ଜାହାଜ ନୁହେଁ, ପିଲାଙ୍କୁ ପାଠପଢା ପ୍ରତି ଆକୃଷ୍ଠ କରିବା ପାଇଁ ସ୍କୁଲ କାନ୍ଥରେ ଗୁରୁପ୍ରିୟା ସେତୁ ନାଁ ରେ ପାଣି ଜାହାଜ ନିର୍ମାଣ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଂଚଳ ଚିତ୍ରକୋଣ୍ଡାରେ ଏଭଳି ସ୍କୁଲ ନିର୍ମାଣ କରାଯାଇଛି । ଚିତ୍ରକୋଣ୍ଡା ଟେମ୍ପୋରାରୀ କଲୋନୀରେ ଥିବା ଏହି ସ୍କୁଲରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲ କାନ୍ଥରେ ପାଣି ଜାହାଜ ଆକୃତିର ଚିତ୍ରାଙ୍କନ କରାଯାଇଛି । ଏହାର ନାଁ ରଖାଯାଇଛି ଗୁରୁପ୍ରିୟା ଜାହାଜ । ପିଲାମାନେ ମଧ୍ୟ ଏଭଳି ଚିତ୍ରାଙ୍କନରେ ବେଶି ପ୍ରଭାବିତ ହେଉଛନ୍ତି ।

ରାଜ୍ୟର ପଛୁଆ ଜିଲ୍ଲା ଭାବେ ମାଲକାନଗିରି ପରିଚିତ। ଜିଲ୍ଲାର ପିଲାମାନେ ପୂର୍ବରୁ ରେଳ, ସଂସଦ ଭବନ, ଉଡ଼ାଜାହାଜ ଏବଂ ପାଣିଜାହାଜ ଆଦି ଛବିରେ ଦେଖୁଥିଲେ। ସାମାନ୍ୟ ଉନ୍ନତ ଅଞ୍ଚଳର ପିଲା ଏହାକୁ ଟିଭି କିମ୍ବା ସିନେମା ପରଦାରେ ହିଁ ଦେଖୁଥିଲେ। ଅସଲରେ ଏସବୁ ଦେଖିବା ଏଠାକାର ପିଲାଙ୍କ ଭାଗ୍ୟରେ ଏପର୍ଯ୍ୟନ୍ତ ଜୁଟିନାହିଁ। ତଥାପି ଦୁର୍ଗମ ଅଂଚଳର ପିଲାଙ୍କ ପାଠ ପଢ଼ିବା ସହ ସାଧାରଣଜ୍ଞାନ ଅର୍ଜନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଏମିତି ସୁନ୍ଦର ଉପାୟ ଅବଲମ୍ବନ କରିଛନ୍ତି।

ପାଣିଜାହାଜ ଆକୃତିର ଏହି ବିଦ୍ୟାଳୟରେ ପିଲାମାନେ ବି ବସି ପଢ଼ିବା ପାଇଁ ପସନ୍ଦ କରୁଛନ୍ତି। ବିଦ୍ୟାଳୟ କାନ୍ଥକୁ ଏମିତି ଆଙ୍କିବା ପରେ ସେହି ବିଷୟରେ ବିସ୍ତୃତ ଭାବେ ମଧ୍ୟ ଅବଗତ କରାଯାଇଛି। ଏପରିକି ଉକ୍ତ ପାଣିଜାହାଜକୁ ନାମକରଣ କରି ଗୁରୁପ୍ରିୟା ବୋଲି ଦିଆଯାଇଛି। ବାଲିମେଳା ଜଳଭଣ୍ଡାରରେ ଏହି ଜାହାଜରେ ବସି ପିଲାମାନେ ଗୁରୁପ୍ରିୟା ସେତୁ ଦର୍ଶନ କରିବାର ଭ୍ରମ ସୃଷ୍ଟି କରୁଥିବା ବେଳେ ପାଠ ପଢ଼ିବାର ମଜା ମଧ୍ୟ ନିଆରା ବୋଲି ମତ ପ୍ରକାଶ ପାଇଛି।