ସ୍କୁଲ ପିଲାଙ୍କ ଯିବାଆସିବାର ପରିବହନ ଖର୍ଚ୍ଚ ଦେବେ ରାଜ୍ୟ ସରକାର ! ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜାରି ହେଲା ବିଜ୍ଞପ୍ତି

ସ୍କୁଲ ପିଲାଙ୍କ ଯିବାଆସିବାର ପରିବହନ ଖର୍ଚ୍ଚ ଦେବେ ରାଜ୍ୟ ସରକାର ! ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜାରି ହେଲା ବିଜ୍ଞପ୍ତି
କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ଅପହଞ୍ଚ ଇଲାକା ଓ ଉପାନ୍ତ ଅଞ୍ଚଳର ଛାତ୍ରାଛାତ୍ରୀଙ୍କୁ ସ୍କୁଲ ଯିବାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପରିବହନ ଖର୍ଚ୍ଚ କିମ୍ବା ତତ୍ତ୍ବାବଧାରକଙ୍କ ପାଇଁ ଭତ୍ତା ପ୍ରଦାନ କରିବେ। ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ଆଣିବା ଲକ୍ଷ୍ୟରେ ସରକାର ୨୦୦୯ର ଶିକ୍ଷା ଅଧିକାର ଆଇନରେ ଥିବା ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ବ୍ୟବସ୍ଥା ଅନୁଯାୟୀ ସହାୟତା ପ୍ରଦାନ କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
publive-imageବିଜ୍ଞପ୍ତି ଅନୁଯାୟୀ, ଯେଉଁ ଦୁର୍ଗମ ଅଞ୍ଚଳରେ ଛାତ୍ରାଛାତ୍ରୀମାନଙ୍କୁ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକ କିଲୋମିଟର କିମ୍ବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଯିବାକୁ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ପଡ଼ୁଛି, ସେସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପରିବହନ ବାବଦ ଖର୍ଚ୍ଚ କିମ୍ବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ସାଙ୍ଗରେ ଯାଉଥିବା ତତ୍ତ୍ବାବଧାରକଙ୍କ ଭତ୍ତା ବାବଦରେ ଅର୍ଥ ପ୍ରଦାନ କରାଯିବ। ଏହା ସହିତ ଛାତ୍ରଛାତ୍ରୀ ରହୁଥିବା ଜନବସତିରେ ଲୋକସଂଖ୍ୟା କମ ଦୃଷ୍ଟିରୁ ନୂଆ ସ୍କୁଲ ପ୍ରତିଷ୍ଠା କରିବା ସମ୍ଭବ ହେଉ ନ ଥିବାରୁ ସେହି ଜନବସତିଠାରୁ ପ୍ରାଥମିକ ବିଦ୍ୟାଳୟର ଏକ କିଲୋମିଟର ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ କିଲୋମିଟର ଦୂରରେ ଥିଲେ, ସେହିସବୁ ଜନବସତିର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ।
publive-imageସେହିପରି ଯଦି ଛାତ୍ରଛାତ୍ରୀମାନେ ଘନ ଜଙ୍ଗଲ ଭିତରେ ରହୁଥିବେ ଏବଂ ସେମାନଙ୍କ ସ୍କୁଲ ଯିବାଆସିବା ରାସ୍ତାରେ ବନ୍ୟଜନ୍ତୁ ଆକ୍ରମଣର ଭୟ ରହିଛି, ତେବେ ସେହିସବୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବା ସହ ବର୍ଷା ଦିନେ ନଦୀ ପାର ହୋଇ  ବିପଦସଂକୁଳ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଆସିବା ପାଇଁ ସରକାର ବର୍ଷକୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଏହି ବ୍ୟବସ୍ଥାରେ ହିତାଧିକାରୀଙ୍କୁ ପରିବହନ ଖର୍ଚ୍ଚ ବାବଦରେ ନଗଦ ଆକାରରେ ଟଙ୍କା ପ୍ରଦାନ କରା ନଯାଇ ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ। ଏଥିପାଇଁ ଛାତ୍ରାଛାତ୍ରୀଙ୍କ ଉପସ୍ଥାନ ହାର, ସ୍କୁଲର କାର୍ଯ୍ୟଦିବସକୁ ହିସାବ କରି ଏହି ଅର୍ଥ ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୭୫% କିମ୍ବା ତଦୁର୍ଦ୍ଧ ରହିଥିବ, ସେହି ଛାତ୍ରଛାତ୍ରୀଙ୍କ ପରିବହନ ଖର୍ଚ୍ଚ କିମ୍ବା ସାଙ୍ଗରେ ନେଇ ଯାଉଥିବା ତତ୍ତ୍ବାବଧାରଙ୍କ ଭତ୍ତା ବାବଦରେ ମାସିକ ୬୦୦ ଟଙ୍କା ପ୍ରଦାନ କରାଯିବ।
ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ଯଦି ୫୦%ରୁ ୭୪% ମଧ୍ୟରେ ରହିବ ତା ହେଲେ ଗସ୍ତ ଖର୍ଚ୍ଚ କିମ୍ବା ତତ୍ତ୍ବାବଧାରକଙ୍କ ଖର୍ଚ୍ଚ ବାବଦରେ ମାସିକ ୪୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ୩୦%ରୁ ୫୦% ମଧ୍ୟରେ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କ ପରିବହନ କିମ୍ବା ତତ୍ତ୍ବାବଧାରକଙ୍କ ଖର୍ଚ୍ଚ ବାବଦରେ ମାସିକ ୩୦୦ ଟଙ୍କା ସରକାର ପ୍ରଦାନ କରିବେ। କିିନ୍ତୁ କୌଣସି ବି ପରିସ୍ଥିତିରେ ଉପସ୍ଥାନ ହାର ୩୦%ରୁ କମ ରହିଲେ ଆଦୌ ଗସ୍ତ ଖର୍ଚ୍ଚ ମିଳିବ ନାହିଁ। ଏଥି ପାଇଁ ପ୍ରତି ମାସରେ ଜିଲ୍ଲା, ବ୍ଲକ ଓ ଶିକ୍ଷା ମଣ୍ଡଳ ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହା ସହିତ ପ୍ରତିମାସରେ ବିଦ୍ୟାଳୟ ପରିଚାଳନା ସମିତି ଅଭିଭାବକମାନଙ୍କୁ ଡାକି ସଚେତନ କରିବା ସହ ସ୍କୁଲରେ ଶତ ପ୍ରତିଶତ ଉପସ୍ଥାନ ହାର ପହଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe