କନକ ବ୍ୟୁରୋ : ଶିକ୍ଷକଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ସାହାରଦା ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ସୁମନ୍ତ ଦାସଙ୍କ ମୃତ୍ୟୁ ହୋଇଛି । ବଂଶୀଧର ବିଦ୍ୟାପୀଠରେ ସେ ପାଠ ପଢୁଥିଲେ । ଶନିବାର ତାଙ୍କର ଜଣେ ସହପାଠୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ପରେ ଦୁଇଜଣଙ୍କୁ ଅଫିସ୍କୁ ଡାକି ଶ୍ରେଣୀ ଶିକ୍ଷକ ନିରଞ୍ଜନ ମଲ୍ଲିକ ଓ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ମହାପାତ୍ର ମାଡ଼ ମାରିବା ସହ ଧକ୍କା ମାରିଥିବା ନେଇ ସୁମନ ଘରକୁ ଆସି ବାପା ଗୋବିନ୍ଦଙ୍କୁ ଜଣାଇଥିଲେ ।

ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିବା ସେ ବାପାଙ୍କୁ କହିଥିଲେ । ବିଦ୍ୟାଳୟକୁ ଯାଇ ଶ୍ରେଣୀ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏ ବିଷୟରେ ପଚାରିବେ ବୋଲି କହିଥିଲେ ବାପା ଗୋବିନ୍ଦ । ପରେ ରାତିରେ ଖାଇବା ପରେ ଶୋଇ ଯାଇଥିଲେ ସୁମନ । ହେଲେ ରବିବାର ଭୋର ସମୟରେ ସୁମନ ପୁଣି ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିବା କହିବାରୁ ପୁଅକୁ ଖନ୍ତାପଡ଼ା ଡାକ୍ତରଖାନାକୁ ନେଇଥିଲେ ଗୋବିନ୍ଦ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଦ୍ୱିପ୍ରହର ସମୟରେ ସୁମନଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାକୁ ନେଇ ଗାଁ ଲୋକେ ତାତିଥିଲେ । ପରିବାର ଲୋକ ଓ ଗ୍ରାମବାସୀ ସୁମନଙ୍କ ମୃତଦେହକୁ ଆଣି ବିଦ୍ୟାଳୟ ଫାଟକ ଆଗରେ ରଖି ଧାରଣା ଦେବା ସହ ବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ । ଏଥିସହ ସମ୍ପୃକ୍ତ ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଅଭିଯୋଗ ଆସିଥିବା ଦୁଇ ଶିକ୍ଷକ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।