ଅଥଳ ଜଳରେ ଶ୍ରେଣୀଗୃହ, ଡଙ୍ଗାରେ ଚାଲିଛି ପାଠପଢା

74

କନକ ବ୍ୟୁରୋ : ଦେଶର ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବାକୁ ସରକାର ନୂଆ ଶିକ୍ଷାନୀତି ପ୍ରଚଳନ କରିଛନ୍ତି । ସମସ୍ତଙ୍କୁ କେବଳ ଶିକ୍ଷା ନୁହେଁ ନୂଆ ଶିକ୍ଷାନୀତି ମୁତାବକ ସମସ୍ତଙ୍କୁ ସୁନ୍ଦର ଓ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଶିକ୍ଷା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଡେଙ୍ଗୁରା ପିଟା ଚାଲିଛି । ହେଲେ ବାସ୍ତବରେ ଦେଶର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଆଜି ସାମ୍ନାକୁ ଆସିଛି ।
ଗଙ୍ଗା ନଦୀରେ ଚାଲୁଥିବା ଏକ ଡଙ୍ଗା ଭିତରେ ଚାଲିଛି ପାଠଶାଳା । ଯାହାକି ବିହାରର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ପିଲାମାନେ ବିପଦ ସଂକୁଳ ଅବସ୍ଥାରେ ଗଙ୍ଗାନଦୀ ଭିତରେ ଏକ ଡଙ୍ଗାରେ ବସି ପାଠ ପଢୁଛନ୍ତି । ବିହାର ରାଜ୍ୟ କଟିହାର ଜିଲ୍ଲାର ମନିହାରୀ ଅନୁମଣ୍ଡଳ ଅଞ୍ଚଳରେ ଅନେକ ସ୍ଥାନ ଏବେ ବନ୍ୟାରେ ଜଳମଗ୍ନ ହୋଇଛି । ଯେଉଁଆଡେ ଅନାଇଲେ ଖାଲି ପାଣି ଓ ପାଣି  । କିଛିଦିନ ଆଗରୁ ଛାତ୍ର ଛାତ୍ରୀମାନେ ଯେଉଁ ସ୍କୁଲ କିମ୍ବା କୋଚିଂ ସେଣ୍ଟରକୁ ପାଠ ପଢିବାକୁ ଯାଉଥିଲେ ତାହା ଏବେ ଗଙ୍ଗାନଦୀରେ ଆସିଥିବା ବନ୍ୟାରେ ପୁରା ଜଳମଗ୍ନ ହୋଇ ଯାଇଛି । ହେଲେ ଏଭଳି ସ୍ଥିତିରେ ବି ଗାଁରେ ମାଗଣା କୋଚିଂ ଦେଉଥିବା ୩ ଜଣ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି । ସେମାନେ ଗଙ୍ଗାନଦୀ ଭିତରେ ଏକ ଡଙ୍ଗାରେ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି ।

ଡଙ୍ଗାରେ ବସାଇ ପିଲାମାନଙ୍କୁ ପାଠ ପଢାଉ ଥିବା ୩ ଜଣ ଶିକ୍ଷକ କହିଛନ୍ତି କି ସେମାନେ ନିଜେ ଉକ୍ତ ଅଞ୍ଚଳର ଲୋକ ଓ କରୋନା କାଳରୁ ସେମାନେ ସ୍ଥାନୀୟ ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି । ଏହାସହ ସେମାନେ କହିଛନ୍ତି କି ବନ୍ୟା ବାତ୍ୟା ବେଳେ ସରକାର ସେଠିକାର ପିଲାମାନଙ୍କ ପାଇଁ ଅନ୍ୟ ସୁବିଧା ଯୋଗାଇ ଦେଉ ନଥିବାରୁ ସେମାନେ ବାଧ୍ୟ ହୋଇ ଚଳନ୍ତା ଡଙ୍ଗା ଭିତରେ ପିଲାମାନଙ୍କ ଶିକ୍ଷାଦାନ କରୁଛନ୍ତି । ସେହିଭଳି ଡଙ୍ଗାରେ ବସି ପାଠ ପଢୁଥିବା ପିଲାମାନେ କହିଛନ୍ତି କି, ପୁରା ଅଞ୍ଚଳ ଏବେ ଜଳମଗ୍ନ ରହିଛି । ସେମାନଙ୍କ ସ୍କୁଲ ଓ କୋଚିଂ ସେଣ୍ଟର ବୁଡି ଯାଇଛି । ଫଳରେ ସେମାନେ ଏଭଳି ଅବସ୍ଥାରେ ପାଠ ପଢିବାକୁ ବାଧ୍ୟ ହୋଇଛନ୍ତି ।

କହିରଖୁ କି ପିଲାମାନଙ୍କୁ କୌଣସି ପରିସ୍ଥିତିରେ ଶିକ୍ଷାଦାନ କରାଇବା ଏକ ଗଣତନ୍ତ୍ର ରାଷ୍ଟ୍ରରେ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ହେଲେ ସରକାର ଯଦି ଏହି ମୌଳିକ ଅଧିକାର ପୁରଣ କରିବାରେ ସକ୍ଷମ ନୁହନ୍ତି ତା ଅର୍ଥ ନୁହେଁ ଯେ ପିଲାଙ୍କ ଜୀବନକୁ ବିପଦରେ ପକାଇ ସେମାନଙ୍କୁ ନଦୀ ଭିତରେ ଡଙ୍ଗାରେ ପାଠ ପଢାଇବା ।