ସ୍କୁଲ ଯିବାକୁ ହେଲେ, ପିଲାମାନେ ଟିକା ନେବାକୁ ବାଧ୍ୟ କି? ବଡ ବୟାନ ଦେଲେ ନୀତି ଆୟୋଗ ସଦସ୍ୟ…

201

କନକ ବ୍ୟୁରୋ: କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱକୁ ଜଣା । ହେଲେ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଶିକ୍ଷା । ସଂକ୍ରମଣ ବଢିବା ସମୟରେ ସ୍କୁଲ, କଲେଜ ବନ୍ଦ ପଡିଥିଲା ଆଉ ପିଲାମାନେ ଘର ଭିତରେ ରହି ଅନଲାଇନ୍ ଜରିଆରେ ପାଠ ପଢୁଥିଲେ । ହେଲେ ଏବେ ସଂକ୍ରମଣ ସାମାନ୍ୟ କମିଥିବାବେଳେ କିଛି ରାଜ୍ୟରେ ସ୍କୁଲ, କଲେଜ ମଧ୍ୟ ଧୀରେ ଧୀରେ ଖୋଲିବା ଆରମ୍ଭ କଲାଣି । ଏପରି ସମୟରେ ପିଲାଙ୍କ ଟିକାକରଣକୁ ନେଇ ଏକ ବଡ ବୟାନ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ୍ ।

ଡକ୍ଟର ଭି.କେ ପଲଙ୍କ କହିବା ମୁତାବକ, ଅଧିକାଂଶ ରାଜ୍ୟରେ ଏବେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହେଲାଣି । ପିଲାମାନେ ମଧ୍ୟ କୋଭିଡ୍ କଟକଣାକୁ ମାନି ସ୍କୁଲ ଯାଉଛନ୍ତି । ହେଲେ ସ୍କୁଲ ଯିବାକୁ ହେଲେ ପିଲାମାନଙ୍କୁ କଦାପି ଟିକାକରଣ ପାଇଁ ବାଧ୍ୟ କରାଯାଇପାରିବନି ବୋଲି ସେ କହିଛନ୍ତି । ତେବେ ସ୍କୁଲ ଶିକ୍ଷକ ଓ କର୍ମଚାରୀ କିନ୍ତୁ ଟିକାକରଣ କରିବା ନିହାତି ଆବଶ୍ୟକ ବୋଲି ଡକ୍ଟର ଭି,କେ ପଲ ସୂଚନା ଦେଇଛନ୍ତି । ଅନ୍ୟପଟେ ସରକାର ଟିକାକରଣ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଜାଇଡସ କାଡିଲା ଟିକାକୁ ମଞ୍ଜୁରୀ ଦେଇଛନ୍ତି । କୁହାଯାଉଛି ଏହି ଟିକା ଆସନ୍ତା ଅକ୍ଟୋବର ମାସରୁ ଉପଲବ୍ଧ ହେବ । ଏହି ଟିକାକୁ ସ୍ୱଦେଶୀ ଭ୍ୟାକ୍ସିନ ବୋଲି କୁହାଯାଉଥିବାବେଳେ ଏହାକୁ ୧୨ ବର୍ଷରୁ ୧୮ ବର୍ଷ ବୟସର ପିଲାମାନେ ନେଇପାରିବେ । ଏହାପୂର୍ବରୁ ଭାରତରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ୍, ଋଷୀୟ ଟିକା ସ୍ପୁଟନିକ-ଭି, ମଡର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ଟିକାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଉଛି