ଆଜିିଠାରୁ ଖୋଲିଲା ସ୍କୁଲ : କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା

ସ୍କୁଲ ପ୍ରବେଶ ପଥରେ ହେବ ଥର୍ମାଲ ସ୍କ୍ରିନିଂ, ଗୋଟିଏ ଶ୍ରେଣୀରେ ବସିବେ ୨୦ରୁ ୨୫ ଛାତ୍ରଛାତ୍ରୀ; ଚିନ୍ତାମୁକ୍ତ ହୋଇ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

117

କନକ ବ୍ୟୁରୋ : ଆଜିଠୁ କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିବାକୁ ଯାଉଛି ସ୍କୁଲ, କଲେଜ । ଏଥିପାଇଁ ବିଦ୍ୟାଳୟ ଓ କଲେଜ ଗୁଡିକରେ ଜୋରସୋରରେ ସାନିଟାଇଜ କରାଯାଇଛି । ଶ୍ରେଣୀ ଗୃହକୁ ସଫା ସୁତୁରା କରାଯାଇଛି । ଛାତ୍ରଛାତ୍ରୀ ବସିବାକୁ ଥିବା ବେଂଚ ଡେସ୍କରେ ସାନିଟାଇଜ କରାଯାଉଛି । ପିଲା ଅଧିକ ଚଳପ୍ରଚଳ ହେଉଥିବା ସ୍ଥାନ ଗୁଡିକୁ ସାନିଟାଇଜ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ବିଦ୍ୟାଳୟ ଓ କଲେଜ । ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ  ।

କୋଭିଡ ଗାଇଡଲାଇନ ପାଳନ କରି ବିଦ୍ୟାଳୟରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବ । ସ୍କୁଲ ପ୍ରବେଶ ପଥରେ ହ୍ୟାଣ୍ଡ ୱାସ ରହିବ । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବ । ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି । ସକାଳ ୮ଟା ୧୫ରୁ ଅପରାହ୍ନ ୪ଟା ଯାଏଁ କଲେଜ ଖୋଲା ରହିବ । ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ  ଶହେ ଦିନ ଭିତରେ ସିଲାବସ ସାରିବାକୁ ଅଧ୍ୟାପକଙ୍କ ଆଗରେ ଟାର୍ଗେଟ ରହିଛି ।