ଯେଉଁଠି ରହିଛି ଚାଉଳ, ସେଇଠି ପାଠ ପଢୁଛନ୍ତି ପିଲା । ଦୁଇଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ ।

146

କନକ ବ୍ୟୁରୋ: ଜଣେ ମାତ୍ର ଶିକ୍ଷକରେ ଚାଲିଛି ସ୍କୁଲ । ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଦୁଇଟି କ୍ଲାସ୍ ରହିଛି ହେଲେ ଜଣେ ଶିକ୍ଷକ ପଢ଼ାଉଛନ୍ତି ପାଠ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପିଜିଏସ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୫୬ ଜଣ ଛାତ୍ରଛାତ୍ରୀ ଥିବାବେଳେ ନାହିଁ ନାହିଁରେ ଚାଲିଛି ପାଠପଢ଼ା । ଶିକ୍ଷକ ଅଭାବ ସାଙ୍ଗକୁ ବିଦ୍ୟାଳରେ ଶୌଚାଳୟ ନାହିଁ, ରୋଷେଇ ଘର ନାହିଁ କି ଅଫିସ୍ ଘର ନାହିଁ । ଯେଉଁଠି ଚାଉଳ ବସ୍ତା ଓ ଭଙ୍ଗା ସାଇକେଲ ଥୁଆ ହୋଇଛି ସେଇ ଘରେ ଭଙ୍ଗା ବେଞ୍ଚରେ ବସି ପିଲା ପାଠ ପଢ଼ୁଛନ୍ତି ।

ସ୍କୁଲ କାନ୍ଥ ଫାଟି ଆଁ କରିଥିବା ବେଳେ ଝରକା କବାଟ ଅବସ୍ଥା ନକହିବା ଭଲ । ଛାତ୍ରଛାତ୍ରୀଙ୍କ ପାଇଁ ପଂଚାୟତ ପକ୍ଷରୁ ୮ ମାସ ତଳେ ଏକ ଶୌଚାଳୟ ନିର୍ମାଣ କରାଯାଇଛି । ତା ପୁଣି କେବଳ ରଙ୍ଗ ମରାହୋଇଛି । କାମ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ବାହାରକୁ ଯାଉଛନ୍ତି ଛାତ୍ରଛାତ୍ରୀ ।

ପୂର୍ବରୁ ସ୍କୁଲରେ ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ୯ ମାସ ତଳେ ଜଣଙ୍କର ବଦଳି ହୋଇଥିବା ବେଳେ ଜଣେ ମାତ୍ର ଶିକ୍ଷକରେ ଚାଲିଛି ପାଠପଢ଼ା । ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଥିବାରୁ ଠିକ୍ ଭାବେ ପାଠ ପଢ଼ା ହୋଇପାରୁନାହିଁ । ରାଜକନିକା ବ୍ଲକ ଶେଷ ସୀମାରେ ଥିବା ଉପାନ୍ତ ଅଂଚଳର ଏହି ସ୍କୁଲ ୧୯୮୯ ମସିହାରେ ସ୍ଥାପିତ ହୋଇଥିଲା । ଶିକ୍ଷାର ବିକାଶ ପାଇଁ ମଧ୍ୟମ ପାଲଟିଥିଲା ।  ହେଲେ ବର୍ତ୍ତମାନ ସ୍କୁଲର ଏପରି ଦୟନୀୟ ଅବସ୍ଥା ଶିକ୍ଷା କ୍ଷେତ୍ରରେ କେତେ ଯେ ସହାୟକ ହେଉଥିବ ତାହା ସହଜରେ ଅନୁମାନ କରି ହେଉଛି ।