ତାଲାବନ୍ଦରେ ଖୋଲିବ ସ୍କୁଲ ।ଜୁଲାଇ ୨୬ରୁ ଶ୍ରେଣୀଗୃହରେ ବସି ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା, କରୋନା କାଳରେ ମାଧ୍ୟମିକ ଶିକ୍ଷା ପରିଷଦର ବଡ ନିଷ୍ପତ୍ତି । 

666

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଆଂଶିକ ତାଲାବନ୍ଦ, ସେପଟେ ସ୍କୁଲ ଖୋଲିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଆସନ୍ତା ଜୁଲାଇ ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଏଥିପାଇଁ ବ୍ୟାପକ ଗାଇଡଲାଇନ ସରକାର ଜାରି କରିଛନ୍ତି । ସେହିଭଳି ପରୀକ୍ଷା କିଭଳି ହେବ ଓ ଫଳ କିପରି ବାହାରିବ, ତାର ରୋଡମ୍ୟାପ ବି ସାମ୍ନାକୁ ଆସିଛି । ଅଗଷ୍ଟ ୧୬ରୁ ନବମ ଓ ଏକାଦଶ ଖୋଲିବାକୁ ଯୋଜନା କରାଯାଉଥିବା ବେଳେ  ଜିଲ୍ଲାସ୍ତରରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦିଆଯାଇଛି ।

ମହାମାରୀ ଯୋଗୁଁ ବନ୍ଦ ରହିଥିବା ସ୍କୁଲକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଭିତରେ ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ ।

ସ୍କୁଲ ଖୋଲିବା ନେଇ କ’ଣ ରହିଛି ମାର୍ଗଦର୍ଶିକା?

ସ୍କୁଲ ଖୋଲିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନେବେ ନିଷ୍ପତ୍ତି

ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଟୀକା ଦିଆଯିବ

ଯେଉଁ ସ୍କୁଲରେ ଅଫଲାଇନ୍ ମାଟ୍ରିକ ପରୀକ୍ଷା ହେବ, ପରୀକ୍ଷା ଶେଷ ହେବା ପରେ ଖୋଲିବ ସ୍କୁଲ

ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ

ସେହିପରି ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ଯଦି ସବୁ କିଛି ଠିକ୍ ଠାକ୍ ଚାଲେ, ତେବେ ଅଗଷ୍ଟ ୧୬ ତାରିଖରୁ ନବମ ଓ ସେପ୍ଟେମ୍ବର ୧୫ ପରେ ଏକାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ ।

ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ନେଇ ହରଡ଼ଘଣାରେ ପଡ଼ିଥିଲା ଗଣଶିକ୍ଷା ବିଭାଗ । କାରଣ କୌଣସି ଅଫଲାଇନ ପରୀକ୍ଷା ହୋଇନଥିବାରୁ ମୂଲ୍ୟାଙ୍କନରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ତେଣୁ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ । ସିବିଏସଇ ଢାଂଚାରେ ପ୍ରଥମ ଥର ପାଇଁ ଏପରି ନିଷ୍ପତି ନେଇଛି ଗଣଣିକ୍ଷା ବିଭାଗ ।

କିପରି ହେବ ପରୀକ୍ଷା ଓ ମୂଲ୍ୟାୟନ?

ବର୍ଷକ ଭିତରେ ନବମ ଓ ଦଶମରେ ୪ଟି ଶ୍ରେଣୀ ପରୀକ୍ଷା କରାଯିବ

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁୟାରୀ ଦ୍ୱିତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହେବ ଶ୍ରେଣୀ ପରୀକ୍ଷା

ପ୍ରତି ପରୀକ୍ଷାକୁ ଗୁରୁତର ସହ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ବୋର୍ଡ ପରୀକ୍ଷା ହୋଇନପାରିଲେ ଶ୍ରେଣୀ ପରୀକ୍ଷା ଅନୁଯାୟୀ ହେବ ମୂଲ୍ୟାୟନ

ଏପଟେ ମାଟ୍ରିକ ପରୀକ୍ଷାଫଳରେ ଅସନ୍ତୁଷ୍ଟ ହୋଇ ଅଫଲାଇନରେ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି ୧୫,୧୧୫ ଛାତ୍ରଛାତ୍ରୀ । ସେଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡ କଟକଣା ଭିତରେ ଏହି ପରୀକ୍ଷା କରାଯିବ । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ଏବଂ ଅଗଷ୍ଟ ୨୨ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ।