ଗ୍ରାମାଞ୍ଚଳରେ ସହରିଆ ସ୍କୁଲର ଝଲକ । ପୁରୁଣା ସ୍କୁଲରେ ଲାଗିଛି ପରିବର୍ତ୍ତନର ରଙ୍ଗ ।

195

କନକ ବ୍ୟୁରୋ: ପୁରୁଣା ସ୍କୁଲରେ ନୂଆ ରଙ୍ଗ । ଗ୍ରାମାଞ୍ଚଳରେ ସହରିଆ ସ୍କୁଲ । ସ୍ମାର୍ଟ ସ୍କୁଲରେ ପଢିବେ ଗାଁର ପିଲା । ଗାଁ ଗଣ୍ଡାର ହାଇସ୍କୁଲ କଥା କହିଲେ, ଆଖି ସାମ୍ନାକୁ ଚାଲିଆସେ ମାଟିଘର, ଉପରେ ଦିଖଣ୍ଡ ଆଜବେଷ୍ଟସ, ଛୋଟ ଖେଳ ପଡିଆ ସହ ଲମ୍ବା ଲମ୍ବା କ୍ଲାସ ରୁମ କି ଏବେର ଛାତପକା ଘର । ୮୦, ୯୦ ଦଶକର ପିଲା କୁହନ୍ତୁ କି ତାଠୁ କିଛି ବର୍ଷ ପରର ବ୍ୟାଚ ପିଲାଙ୍କୁ ପଚାରିଲେ ଆମେ ତ ହାଇସ୍କୁଲକୁ ଏମିତି ଚିତ୍ରିତ କରିବା । ହେଲେ ଏବେ କିନ୍ତୁ ବଦଳୁଛି ସ୍କୁଲର ଚିତ୍ର, ବଦଳୁଛି ଛବି । ପୁରୁଣା ସ୍କୁଲରେ ଲାଗୁଛି ପରିବର୍ତ୍ତନର ରଙ୍ଗ । ଆଉ ଗାଁ ଗହଳିରେ ବି ସହର ଭଳି ଛାତି ଫୁଲାଇ ଛିଡା ହେଉଛି ସ୍କୁଲ । ଏଇ ଯେମିତି ସମ୍ବଲପୁରର ବଣ ଜଙ୍ଗଲ ଘେରା ଗାଁରେ ଲୋକଙ୍କୁ ଘଡିଏ ଅଟକାଇଦେଉଛି ଏ ସୁନ୍ଦର ହାଇସ୍କୁଲ ।

ସମ୍ବଲପୁର ଯୁଯୁମରା ମହୁଲପାଲିର କସ୍ତୁରବାଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟ । ବଗିଚା ଅଛି, ଫୁଲ ଫୁଟିଛି… ସୁନ୍ଦର ପରିବେଶ ପିଲାଙ୍କୁ ପାଠ ପଢିବାକୁ ଡାକୁଛି । ଘରୋଇ ସ୍କୁଲ ପରି ସରକାରୀ ସ୍କୁଲ ସଜେଇ ହୋଇଛି । ୫୦, ୬୦ ବର୍ଷର ଏ ପୁରାତନ ସ୍କୁଲର ମାଟିରେ ଫୁଟୁଛି ପରିବର୍ତ୍ତନର ମହକ । ମାଟି କାନ୍ଥ ସିମେଣ୍ଟ କାନ୍ଥରେ ପରିଣତ ହୋଇଛି । ଆଉ ସୌନ୍ଦର୍ଯ୍ୟକରଣର ବାକି କାମ ସାରିବାକୁ ଜୋରଦାର ଚାଲିଛି ପ୍ରସ୍ତୁତି ।

ଘରୋଇ ସ୍କୁଲଠାରୁ କୌଣସି ଗୁଣରେ କମ ଲାଗୁନି ଏ ସରକାରୀ ସ୍କୁଲର ମାନ । ଅନୂକୁଳ ପରିବେଶ ସାଙ୍ଗକୁ ସ୍ୱଚ୍ଛତା, ସୁନ୍ଦରତା ସତେ ଯେମିତି ବାଟୋଇଙ୍କ ମନ ମୋହୁଛି । ଦେଖଣାହାରୀ ବି ଘଡିଏ ଅଟକି ଯାଉଛନ୍ତି । ସ୍କୁଲ ପରିସରରେ ରଙ୍ଗ ବେରଙ୍ଗର କାମ, ସେଥିରେ ପୁଣି ସମ୍ବଲପୁରୀର ଛାପ । ଜଳଫୁଆର ଠାରୁ ଆରମ୍ଭ କରି ରଙ୍ଗୀନ କୋଠା, ଟାଇଲ୍ସ ମାର୍ବଲ ମଖା ଚଟାଣ । ମୋ ସ୍କୁଲ ଅଭିଯାନରେ ସ୍କୁଲର ପୁରାତନ ଛାତ୍ର ଓ ଅନ୍ୟାନ୍ୟ ଅର୍ଥରାଶିକୁ ବିନଯୋଗ କରି ଏହି ପୁରୁଣା ସ୍କୁଲକୁ ମଡେଲ ସ୍କୁଲରେ ପରିଣତ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଅତ୍ୟାଧୁନିକ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ, କମ୍ପ୍ୟୁଟର ଲାବ, ଆଧୁନିକ ଶୌଚାଳୟ, ଲୋଭନୀୟ ବେଞ୍ଚ ଡେକ୍ସ ସାଙ୍ଗକୁ କ୍ରୀଡାରେ ପିଲା କ୍ୟାରିୟର କରିବାକୁ କ୍ରୀଡା ଭିତ୍ତିଭୂମିର ବିକାଶ ହେଉଛି । ଯାହା ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଥିବା ବେଳେ ଇଚ୍ଛା ହେଉଛି ଆଉ ଥରେ ପାଠ ପଢିବାକୁ ।
ସରାକାରୀ ଅନୁଦାନ ସାଙ୍ଗକୁ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ କାମ ଚାଲିଥିବା ବେଳେ ବଣ ଜଙ୍ଗଲଘେରା ଗ୍ରାମାଂଚଳରେ ମଡେଲ ସ୍କୁଲ ମୁଣ୍ଡ ଟେକିଲାଣି । ଯାହା ସ୍ଥାନୀୟ ଲୋକଙ୍କୁ ଖୁସି ଦେଉଥିବା ବେଳେ ସହରରୁ ବି ଛାତ୍ରଛାତ୍ରୀ ପାଠ ପଢିବାକୁ ଗାଁମୁହାଁ ହେଲେଣି ।