ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ : ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା

1,767

କନକ ବ୍ୟୁରୋ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା । ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଏବେ ନୂଆ ଷ୍ଟ୍ରେନ୍‌କୁ ନେଇ ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ିଛି । ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ ପରି ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ କେତେକ ସ୍ଥାନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଏପରି ସ୍ଥିତିରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ପୁନର୍ବିଚାର କରାଯାଉଛି ।

ଫେବ୍ରୁଆରି ୨୩ରେ ଖୋଲିବାକୁ ଯୋଜନା କରାଯାଇଥିଲା । ତେବେ ଦେଶରେ ନୂଆ ସଂକ୍ରମଣ ବଢ଼ୁଥିବାରୁ ଚିନ୍ତା ପ୍ରକଟ କରାଯାଇଛି । ବିଶେଷକରି ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥିବାରୁ ଓଡ଼ିଶା ସୀମାନ୍ତ ଜିଲ୍ଲାଗୁଡ଼ିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ, ସେନେଇ ତଦାରଖ କରୁଛନ୍ତି । ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯେପରି କରୋନା ଆକ୍ରାନ୍ତ ନ ହୁଅନ୍ତି, ସେଥିପ୍ରତି କଡ଼ା ନଜର ରଖାଯାଇଛି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନା ପ୍ରକୋପ କମିବା ପରେ ଜାନୁଆରି ମାସରୁ ଧୀରେଧୀରେ ଶିକ୍ଷାନୁଷ୍ଠାନ ଖୋଲୁଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଲାଗି ବିଦ୍ୟାଳୟ ଖୋଲିବା ସହ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିଲା । ‌ପରେ ଫେବ୍ରୁଆରିରେ ନବମ, ଏକାଦଶ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ରାଜ୍ୟରେ କରୋନା ସଂକ୍ରମଣ ବହୁତ କମ୍‌ ରହୁଥିବାରୁ ଖୁବ୍‌ଶୀଘ୍ର ପ୍ରଥମରୁ ୮ମ ଶ୍ରେଣୀ ଖୋଲିବ ବୋଲି ଆଶା କରାଯାଉଥିଲା । ତେବେ ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମାର୍ଚ୍ଚ ମାସରେ ଖୋଲିବା ନେଇ ଆଶଙ୍କା ପ୍ରକାଶ ପାଇଛି ।