ପକେଟରେ ଆଣନ୍ତି, ସ୍କୁଲରେ ପିଅନ୍ତି ! ଗୁରୁ ଦିବସରେ ଅନୁଗୁଳରୁ ଆସିଲା ମାତାଲ୍ ମାଷ୍ଟ୍ରେଙ୍କ ଲଜ୍ଜାଜନକ କାହାଣୀ, ଦେଖନ୍ତୁ ଭିଡ଼ିଓ ।  

1,087

କନକ ବ୍ୟୁରୋ: ପ୍ରଚୁର ମଦ୍ୟ ପିଅନ୍ତି ସ୍କୁଲକୁ ଆସନ୍ତି । ଏପରିକି ମଦ ପାଉଚ୍ ଆଣି ସ୍କୁଲ ଭିତରେ ବି  ମଧ୍ୟପାନ କରନ୍ତି ।  ଦଣ୍ଡମୁକ୍ତ ଅଂଚଳରେ ବି ଛାତ୍ର ଛାତ୍ରୀଙ୍କୁ ମାଡ ମଧ୍ୟ ମାରନ୍ତି । ତେଣୁ ସ୍କୁଲରେ ପାଠପଢିବା ପାଇଁ ମଙ୍ଗୁନାହାଁନ୍ତି ଛାତ୍ରଛାତ୍ରୀ । ଶିକ୍ଷକଙ୍କ ବିରୋଧରେ ଏଭଳି ସାଙ୍ଘାତିକ୍ ଓ ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଅଭିଭାବକମାନେ କେବଳ ଅଭିଯୋଗ କରିଛନ୍ତି ତା ନୁହେଁ ଶିକ୍ଷକଙ୍କ ପକେଟ୍ରୁ ମଦ ପାଉଚ୍ ମଧ୍ୟ ଜବତ କରିଛନ୍ତି । ନିଜ ପକେଟରେ ମଦ ପାଉଚ ଧରି ସ୍କୁଲକୁ ଆସୁଥିବା ସମୟରେ  ସ୍କୁଲ କମିଟି ଦ୍ୱାରା ଧରାପଡି ଅପଦସ୍ତ ହୋଇଛନ୍ତି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ପାତ୍ରପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୀର୍ତନ ପାତ୍ର ।

ଏହି ଦୃଶ୍ୟକୁ ଦେଖିବା ପରେ ଆପଣଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଆସୁଥିବ ନିଶ୍ଚୟ । ଗୁରୁ ଦିବସରେ ସାମ୍ନାକୁ ଆସିଛି ଗୁରୁଙ୍କ କଳା କାରନାମା । ଆଉ ସ୍କୁଲ କମିଟି ହାବୁଡରେ ପଡିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଠମଲ୍ଲିକ ଉପଖଣ୍ଡ ପାତ୍ରପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୀର୍ତନ ପାତ୍ର । ଶିକ୍ଷକ ଜଣଙ୍କ ମଦ୍ୟପାନ କରି ସ୍କୁଲ ଆସୁଥିବା ବେଳେ ତାଙ୍କ ପକେଟ୍ରେ ମଦ୍ ପାଉଚ୍ ଥିଲା । ଏନେଇ ସ୍କୁଲ କମିଟି ଖବର ପାଇବା ପରେ ଶିକ୍ଷକଙ୍କ ପକେଟ୍ ଯାଂଚ କରି ମଦ ପାଉଚ୍ ଜବତ କରିଛନ୍ତି । ଗାଁ କମିଟି ହାବୁଡରେ ପଡିବା ପରେ ନିଜ ସପକ୍ଷରେ ସଫେଇ ରଖିଛନ୍ତି ସଂପୃକ୍ତ ଶିକ୍ଷକ ।

ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ୫୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ପ୍ରତିଦିନ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ସ୍କୁଲକୁ ଆସିଥାନ୍ତି । ଏମିତି କି ସ୍କୁଲ ଭିତରେ ବି ମଦ୍ୟପାନ କରିଥାନ୍ତି, ଆଉ ଦଣ୍ଡମୁକ୍ତ ଅଂଚଳରେ ଛାତ୍ରଛାତ୍ରୀଙ୍କୁ ମାଚପିଟ୍ ବି କରିଥାନ୍ତି । ଗୁରୁ ଦିବସରେ ଗୁରୁଙ୍କ ବିରୋଧରେ ଏଭଳି ସଂଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । ସ୍କୁଲରେ ଠିକ୍ ଭାବରେ ମଧ୍ୟାହ୍ନ ଭୋଜନ ମିଳୁନଥିବା ବେଳେ ପାଠପଢା ହେଉନାହିଁ । ତେଣୁ ଛାତ୍ରଛାତ୍ରୀ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବୀ କରିଛନ୍ତି । ସେପଟେ ଏସବୁ ଅଭିଯୋଗର ତଦନ୍ତ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି ସିଆରସିସି । ଆଠମଲିକ୍ ବିଧାୟକ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଗୁରୁ ଦିବସରେ ଗୁରୁଙ୍କୁ ପୂଜା କରିଥାନ୍ତି ଛାତ୍ର ଛାତ୍ରୀ । ଗୁରୁଙ୍କୁ ପୂଜା କରିବେ କଣ, ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଛାତ୍ର ଛାତ୍ରୀ ।