କନକ ବ୍ୟୁରୋ : ବାଲେଶ୍ବର ଭୋଗରାଇ ବ୍ଲକରେ ରହିଛି ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ। ୧୯୮୦ରୁ ଓଡ଼ିଶାର ଉଚ୍ଚ ଶିକ୍ଷା ଜଗତରେ ଆଲୋକ ବର୍ତ୍ତିକା ସାଜିଥିଲା ଏହି ଶିକ୍ଷାନୁଷ୍ଠାନ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ୪୫ ବର୍ଷର ଏହି କଲେଜରେ +୨ ଓ +୩ର କଳା, ବିଜ୍ଞାନ, ବାଣିଜ୍ୟ ସହିତ ଓଡ଼ିଆ, ଇଂରାଜୀ, ଶିକ୍ଷା ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ସାଢ଼େ ୪ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କଲେଜରେ ୩ଟି ଛାତ୍ରୀ ନିବାସ ଥିବା ବେଳେ ଛାତ୍ରଙ୍କ ପାଇଁ ଏକ ଛାତ୍ରାବାସ ଆବଶ୍ୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩୦୨୪ ଆର୍ଥିକ ୧୧ କୋଟି ଟଙ୍କାର ବ୍ୟୟ ଅଟକଳରେ ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ଚାଲିଛି । ପୂର୍ତ୍ତ ବିଭାଗ ପକ୍ଷରୁ ୨ ଏକର ୮୦ ଡେସିମିଲ ଜମିରେ ପ୍ରାୟ ୨ କୋଟି ଖର୍ଚ୍ଚରେ ପାଚେରୀ ଓ ଗ୍ରେଡ଼ବିମ ପଡ଼ିସାରିଛି। ହେଲେ ୩୦% କାମ ସରିଥିବା ବେଳେ ଆଇନ୍ କାନୁନ୍ ଭିତରେ ଛନ୍ଦି ହୋଇପଡିଛି ଛାତ୍ରାବାସ ନିର୍ମାଣ ।

Advertisment

ନିର୍ମାଣଧିନ ଛାତ୍ରାବାସ ଜଳେଶ୍ବରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବୋଲି ଦାବୀ କରି ଆଇନର ଆଶ୍ରୟ ନେଇଥିଲେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦତ୍ତ। କୋର୍ଟଙ୍କ ରହିତାଦେଶ ଯୋଗୁଁ ନିର୍ମାଣ କାର୍ୟ୍ୟ ବନ୍ଦ ରହିଥିବା କହିଛନ୍ତି ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ କେଦାର ସିଂହ ଦାସ । ସେପଟେ ରାଜ୍ୟ ସରକାର ଓ ମାନ୍ୟବର କୋର୍ଟ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

ଛାତ୍ରାବାସକୁ ନେଇ ଛାତ୍ରଙ୍କ ଆଶା ମଉଳି ଯାଉଥିବା ବେଳେ ଉଭୟ କଲେଜ ଓ ସ୍କୁଲ କର୍ତୃପକ୍ଷ ନିଜ ନିଜ ଭିତରେ ବୁଝାମଣା କରି ଜାଗା ବିବାଦର ସମାଧାନ କଲେ ଭଲ ହୁଅନ୍ତା ।