ଉଜୁଡା ଶିକ୍ଷା ମନ୍ଦିର: ବିପଦ ଭିତରେ ଭବିଷ୍ୟତ ଗଢ଼ା…ଭଙ୍ଗା ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢ଼ା

ଧର୍ମଗଡରୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ବିଦ୍ୟାଳୟ ପରିଚାଳନା କମିଟିର ଅଭିଯୋଗ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝୁନି ଜିଲ୍ଲା ଶିକ୍ଷା ବିଭାଗ

91

କନକ ବ୍ୟୁରୋ: ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ଏମିତି ବିଦ୍ୟାଳୟ ଅଛି ଯାହାକୁ ଦେଖିଲେ ଭୟ ଲାଗୁଛି । ଆବଶ୍ୟକ ଶ୍ରେଣୀଗୃହ ଅଭାବ ଓ ବିପଦ ସଂକୁଳ କୋଠାରେ ଭୟଭିତ ଅବସ୍ଥାରେ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷା ବ୍ୟବସ୍ଥା ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରୁ ।

ବିପଦ ଭିତରେ ଭବିଷ୍ୟତ ଗଢ଼ା । ଭଙ୍ଗା ଘରେ ପାଠପଢ଼ା । ଉଜୁଡା ଶିକ୍ଷା ମନ୍ଦିର । ଗୋଟିଏ ଘରେ ୫ଟି ଶ୍ରେଣୀର ପାଠପଢା । ମୁଣ୍ଡ ଉପରେ ବିପଦ ତଳେ ବହି । ଇଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପଲସାପଡା ପ୍ରାଥମିକ ବିଦ୍ୟାଳୟ । ୧୯୯୧ ମସିହାର ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ୨ଟି ଶ୍ରେଣୀ ଗୃହ ରହିଥିବା ବେଳେ ଗୋଟିଏ ବାରଣ୍ଡା ରହିଛି । ଏବେ ବିଦ୍ୟାଳୟର ବାରଣ୍ଡାଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଘରର ଛାତରୁ ସିମେଂଟ ଅତଡା ଖସି ଲୁହା ଛଡ ଦେଖାଯାଉଛି ।

ପୁରୁଣା ଆଉ ବିପଦ ସଂକୁଳ ଘରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ-ଶିକ୍ଷୟିତ୍ରୀ କୋମଳ ମତି ଛାତ୍ରଛାତ୍ରୀଙ୍କୁ ପାଠପଢାଉ ଥିବା ବେଳେ ନୂଆ ଶ୍ରେଣୀଗୃହ ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ସ୍କୁଲ ପରିଚାଳନା କମିଟି । ହେଲେ କିଛି ଲାଭ ମିଳୁନଥିବା ବେଳେ ଏମିତି ଚାଲିଛି ପାଠପଢା । ତେବେ ପଲସାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଯାଏଁ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଶାସନ ଏହି ସ୍କୁଲ ପ୍ରତି ନଜର ଦେବା ଜରୁରୀ ।