କନକ ବ୍ୟୁରୋ : ସୁନ୍ଦର ସ୍କୁଲ ନିର୍ମାଣ ସରିଛି, ସୁନ୍ଦର ଓ ସଜିତ ଶ୍ରେଣୀଗୃହ ବି ଅଛି । ହେଲେ ପିଲା ପାଠ ପଢ଼ୁଛନ୍ତି ସ୍କୁଲ ବାହାରେ ବସି । କାରଣ ସ୍କୁଲ ଗେଟରେ ତାଲା ପଡ଼ିଛି । ଆଉ ଏହି ତାଲା କିଏ ପକାଇଛି ? କାମ କରିଥିବା ଠିକାଦାର ହିଁ ତାଲା ପକାଇଛନ୍ତି, କାରଣ ଫାଇଭ୍-ଟି ବିଭାଗରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ଯେଉଁ କାମ କରିଥିଲେ, ଏଯାଏଁ ତାଙ୍କୁ ଅର୍ଥ ମିଳିନାହିଁ । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଛି ।

Advertisment

ସ୍କୁଲ ଗେଟରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ବସି ପାଠ ପଢ଼ିଛନ୍ତି । ଠିକାଦାର ଅଲେଖ ନାୟକ ଓ ତାଙ୍କ ସହଯୋଗୀ ୨୦୧୧ରେ ସ୍କୁଲର ସୌନ୍ଦର୍ଯ୍ୟକରଣ କାମ କରିଥିଲେ । ହେଲେ ଏଯାଏଁ ତାଙ୍କୁ ଏନେଇ ସମ୍ପୂର୍ଣ୍ଣ ଅର୍ଥ ମିଳିନଥିବା ଅଭିଯୋଗ କରିଆସୁଛନ୍ତି । ଏପରିକି କାମ କରଥିବା ଅର୍ଥ ନମିଳିଲେ ତାଲା ପକାଇ ପ୍ରତିବାଦ କରିବେ ସେ ୧୦ ଦିନ ତଳେ ଜଣାଇଥିଲେ । ଗତକାଲି ଠିକାଦାର ଜଣକ ସ୍କୁଲରେ ପହଞ୍ଚି ଗେଟରେ ତାଲା ପକାଇ ଦେଇଥିଲେ ।