ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି : ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟଙ୍କ ଗୁରୁତ୍ୱ

105

କନକ ବ୍ୟୁରୋ : ସ୍କୁଲ ଫି’ ଛାଡକୁ ନେଇ ଖୁବ୍ ଶୀଘ୍ର ଆସିପାରେ ଚୁଡାନ୍ତ ନିଷ୍ପତ୍ତି । ହାଇକୋର୍ଟରେ ଚାଲିଥିବା ଏହି ମାମଲାର ଶୁଣାଣି ସରିଥିବା ବେଳେ ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିଶ କରାଯାଇଥିଲା । ଏହି ସୁପାରିଶ ଅନୁସାରେ- ୬ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫% ।

୧୨ ହଜାରରୁ ୨୪ ହଜାର ପର୍ଯନ୍ତ ୧୨ ପ୍ରତିଶତ । ୨୪ ହଜାରରୁ ୪୮ ହାଜର ପର୍ଯ୍ୟନ୍ତ ୧୫%, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଏବଂ ଏହା ପରେ ୨୬% ଟିଉସନ୍ ଫି ଛାଡ଼ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ସ୍ଥିତି ଦେଖି ନିଆଯିବ । ହଷ୍ଟେଲ ଫି’ ୩୦% ଛାଡ଼ କରାଯିବ । ଆକ୍ଟିଭିଟି ଫି’, ଲଣ୍ଡ୍ରିଂ ଫି’, ଏକ୍ସଟରନାଲ ଏକ୍ଜାମ୍ ଫି’, ୟୁନିଫର୍ମ ଫି’, ରିଆଡ୍ମିସନ୍ ଫି’ ଆନୁଆଲ ଫି’, ଡେଭେଲପମେଂଟ ଫି’ ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏସମ୍ପର୍ତିକ ଏମ୍ଓୟୁ ସପକ୍ଷରେ ସରକାର ମତ ରଖିଥିବା ବେଳେ ଡିଏଭି ସ୍କୁଲ ଜୋନ୍-୧ ଏବଂ ଆଇସିଏସ୍ଇ ସ୍କୁଲ ସଂଘ ଭିନ୍ନ ମତ ରଖିଛନ୍ତି । ଅଭିଭାବକ ସଂଘ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବ ବେଳେ କେତେକ ଘରୋଇ ସ୍କୁଲ ସଂଘ ଏହାକୁ ବିରୋଧ କରିଛନ୍ତି । ସ୍କୁଲ ଫି’ ଛାଡ଼ ମାମଲାର ଶୁଣାଣି ହାଇକୋର୍ଟରେ ସରିଥିବା ବେଳେ ଚୁଡ଼ାନ୍ତ ରାୟକୁ ଅଭିଭାବକମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।