ବିଧାନସଭାରେ ଆଜି ସ୍କୁଲ ବନ୍ଦ ପ୍ରସଙ୍ଗର ହେବ ବିସ୍ତୃତ ଆଲୋଚନା: ସର୍ବଦଳୀୟ ବୈଠକରେ ନିଷ୍ପତି; କାଲି ବାଚସ୍ପତିଙ୍କ ପୋଡିୟମରେ ମୁଣ୍ଡ ପିଟି, ଆତ୍ମାହୂତି ଧମକ ଦେଲେ ତାରା

ବିଜେପି ବି କଲା ଜୋରଦାର ବିରୋଧ

85

କନକ ବ୍ୟୁରୋ: ସ୍କୁଲ ବନ୍ଦ ନିଷ୍ପତି ପ୍ରସଙ୍ଗରେ ଆଜି ବିଧାନସଭାରେ ବିସ୍ତୃତ ଆଲୋଚନା ହେବ । ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ସ୍କୁଲ ବନ୍ଦକୁ ନେଇ ବିଧାନସଭାରେ ଅଚଳାବସ୍ଥା ଦେଖା ଦେବା ପରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ଆଜି ବିଧାନସଭାରେ ବିସ୍ତୃତ ଭାବେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା କରାଯିବ । ଗତକାଲି ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ କରି ପୋଡିୟମରେ ମୁଣ୍ଡ ପିଟିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ରାଜ୍ୟରେ ୧୪ ହଜାର ପ୍ରାଇମେରୀ ସ୍କୁଲ ବନ୍ଦ ପ୍ରସଙ୍ଗ ନିଷ୍ପତିକୁ ଗୃହ ଆରମ୍ଭରୁ ଜୋରଦାର ବିରୋଧ କରିଥିଲେ ବିଜେପି ଓ କଂଗ୍ରେସ ସଦସ୍ୟ । ସ୍କୁଲ ବନ୍ଦ ହେଲେ ଉପାନ୍ତ ଅଂଚଳ ଓ ଗରିବ ପିଲା କିପରି ପାଠ ପଢ଼ିବେ, ସେମାନଙ୍କ ଭବିଷ୍ୟତ କ’ଣ ହେବ, ଏଭଳି ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଥିଲେ ବିରୋଧୀ । ବିଜେପି ସଦସ୍ୟମାନେ ମଧ୍ୟ ସରକାରଙ୍କ ନିଷ୍ପତିକୁ ଜୋରଦାର ବିରୋଧ କରିଥିଲେ । ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସରକାର ଆଲୋଚନାକୁ ଆସି ଉତର ଦେବାକୁ ଦାବି କରିଥିଲା ବିରୋଧୀ । ସେପଟେ ବିରୋଧୀଙ୍କ ପ୍ରଶ୍ନର ଉତର ରଖି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ, ସରକାର ମନଇଚ୍ଛା ସ୍କୁଲ ବନ୍ଦ କରୁନାହାନ୍ତି, ଗାଇଡଲାଇନ ଅନୁଯାୟୀ ବନ୍ଦ ହେଉଛି ।