ସୁନ୍ଦରଗଡରେ ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ବିରୋଧ । ଆନ୍ଦୋଳନରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ ।

83

କନକ ବ୍ୟୁରୋ: ଛତିଶଗଡର ରାୟଗଡକୁ ଏମସିଏଲ କୋଇଲା ପରିବହନ ପାଇଁ ବ୍ୟବହାର କରୁଥିବା ରାସ୍ତାକୁ ନେଇ ବିରୋଧ । ରାସ୍ତା ବ୍ୟବହାର ନ କରିବା ଦାବିରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ । ଆଜି ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ସେମାନଙ୍କର ଗୋଟିଏ ଦାବି ଏହି ରାସ୍ତାରେ କୋଇଲା ପରିବହନ ବନ୍ଦ କରୁ ଏମସିଏଲ । ଯାହା ଫଳରେ ଗୋଟେ ପଟେ ରାସ୍ତାରେ ଶହ ଶହ ସଂଖ୍ୟାରେ ଛିଡା ହୋଇଛି ଟ୍ରକ । ଟ୍ରକ ମାଲିକ ସଂଘର କହିବା ହେଲା, ଏହା ପେଟପାଟଣା କଥା, ସମାଧାନର ରାସ୍ତା ବାହାରୁ ।

ବାଙ୍କିବାହାଲ- ଟପରିଆ ରାସ୍ତାରେ କୋଇଲା ପରିବହନକୁ ସଂପୂର୍ଣ୍ଣ ଭାବରେ ବନ୍ଦ ଦାବିରେ ଜାନୁୟାରୀ ୧୯ ତାରିଖରେ ସୁନ୍ଦରଗଡ ଜିଲ୍ଲା କନ୍ଦାଢୁଡାରେ ଜନଶକ୍ତି ପରିଷଦ ଦ୍ୱାରା ଆରମ୍ଭ ହୋଇଥିଲା ବିଶାଳ ଆନ୍ଦୋଳନ । ଆନ୍ଦୋଳନକାରୀ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବାପରେ ଏପ୍ରିଲ-୫ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ କୋଇଲା ପରିବହନ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ରାଜ୍ୟ ମାନବଧିକାର କମିଶନ । ଏହାକୁ ଭିତ୍ତି କରି ଟ୍ରକ ମାଲିକ ସଂଘ ହାଇକୋର୍ଟ ଯାଇଥିଲା । କଟକଣା ମଧ୍ୟରେ ଏହି ରାସ୍ତାରେ ଗାଡି ଚଳାଚଳ ସହ କୋଇଲା ପରିବହନ କରିବା ପାଇଁ ହାଇକୋର୍ଟ ଜିଲ୍ଲପାଳଙ୍କୁ ନିର୍ଦେଶ ଦେଇଥିଲେ । ଏବେ ଏହି ନିର୍ଦେଶ ପରେ ଗାଡିଚଳାଚଳ ଆରମ୍ଭ ହେବାରୁ ଏହାକୁ ବିରୋଧ କରାଯାଇଛି । ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।