୮ ଘଣ୍ଟା ଡ଼େରିରେ ଆସିଲେ ମନ୍ତ୍ରୀ , ଭୋକରେ କାନ୍ଦି କାନ୍ଦି ଘରକୁ ଫେରିଲେ ଛାତ୍ରଛାତ୍ରୀ !

32

ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ସରକାର ଅନେକ ଯୋଜନା କରୁଛନ୍ତି । ମାଗଣା ଖାତା, ବହି ଠାରୁ ଆରମ୍ଭ କରି ମାଗଣା ଖାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଦେଉଛନ୍ତି ସରକାର । କିନ୍ତୁ ଉତ୍ତର ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପୂରା ଶିକ୍ଷା ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ଉପରେ ପ୍ରଶ୍ନର ପାହାଡ଼ ଛିଡ଼ା କରିଛି ।

ମନ୍ତ୍ରୀଙ୍କ ପାଇଁ ଭୋକିଲା ରହିଲେ ସ୍କୁଲ ଛାତ୍ରଛାତ୍ରୀ । ଏପରିିକି ଭୋକରେ ସ୍କୁଲ ଛାତ୍ରଛାତ୍ରୀ କାନ୍ଦୁଥିଲେ ମଧ୍ୟ ଶୁଣିବାକୁ କେହି ନଥିଲେ । କାରଣ ସମସ୍ତେ ମନ୍ତ୍ରୀଙ୍କ ବାଟକୁ ଚାହିଁ ରହିଥିଲେ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ପ୍ରାଥମିକ ଶିକ୍ଷା ମନ୍ତ୍ରୀ ଅନୁପମା ଜାୟସୱାଲଙ୍କ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡ଼କାଯାଇଥିଲା । ଦିନ ୧୨ଟାରୁ ଉଦଉଦିଆ ଖରାରେ ଆସି ମନ୍ତ୍ରୀଙ୍କ ବାଟକୁ ଚାହିଁ ରହିଥିଲେ ଛାତ୍ରଛାତ୍ରୀ । କିନ୍ତୁ ମନ୍ତ୍ରୀଙ୍କ ଦେଖା ଦର୍ଶନ ମିଳିନଥିଲା । ୮ ଘଣ୍ଟାର ଅପେକ୍ଷା ପରେ ସ୍କୁଲରେ ପଡ଼ିଥିଲା ମନ୍ତ୍ରୀଙ୍କ ପାଦ । କିନ୍ତୁ ସେତେବେଳକୁ ଭୋକରେ ଆଉଟୁପାଉଟୁ ହେଉଥିଲେ ଛାତ୍ରଛାତ୍ରୀ । ଏପରିକି କିଛି ଛାତ୍ରଛାତ୍ରୀ ସଭାସ୍ଥଳ ଛାଡ଼ି ଦେଇଥିଲେ ଏବଂ ରାସ୍ତାରେ ଭୋକରେ ଆଉଟପାଉଟ ହେଉଥିବାର ଦେଖିବାକୁ ମିଳିଥିଲା ।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ମାଡାମ ଡାକିଥିଲେ । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଡକାଯାଇଥିଲା । କିନ୍ତୁ ଏମାନଙ୍କ ଦାୟିତ୍ୱ ବୁଝିବାକୁ ଯେପରି କେହି ନଥିଲେ । ତେବେ ଶିକ୍ଷାମନ୍ତ୍ରୀ ଏନେଇ କହିଛନ୍ତି, ଯିଏ ବି ଏଭଳି କାମ କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।