କନକ ବ୍ୟୁରୋ : ଶ୍ରେଣୀ ଗୃହ ଗୋଟିଏ । ହେଲେ ପାଠ ପଢୁଛନ୍ତି ୪ଟି ଶ୍ରେଣୀର ପିଲା । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଂଚାୟତ ସରକାରୀ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାରେ ଚାଲିଛି ଶିକ୍ଷାଦାନ । ଗୋଟିଏ ଶ୍ରେଣୀଗୃହରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏଁ ପିଲା ବସି ପାଠ ପଢୁଛନ୍ତି । ଯେଉଁଠି ପିଲା ବସୁଛନ୍ତି, ସେଠାରେ ଅଳିଆ ଆବର୍ଜନା ସହ ବିଜୁଳି ବୋର୍ଡ ଅଛି । କୌଣସି ପିଲା ଅସାବଧାନ ହେଲେ ଅଘଟଣର ଆଶଙ୍କା ରହିଛି । ବିଦ୍ୟାଳୟର କୋଠା ଜରାଜୀର୍ଣ୍ଣ ହୋଇପଡିବାରୁ ବାଧ୍ୟରେ ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହରେ ବସାଇ ପାଠ ପଢାଉଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।

Advertisment

ବଡ କଥା ହେଉଛି ଶ୍ରେଣୀ ଗୃହର ଦୁଇ ପାଶ୍ୱର୍ରେ ଥିବା କଳାପଟାରେ ୪ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଯାଉଛି । କଳାପଟାକୁ ମଝିରେ ସରଳ ରେଖା ଟାଣି ଦୁଇ ଭାଗ କରାଯାଇଛି ଏବଂ ସେଥିରେ ଦୁଇଟି ଅଲଗା ଶ୍ରେଣୀର ପିଲାଙ୍କୁ ଅଲଗା ଅଲଗା ବିଷୟବସ୍ତୁ ପଢାଉଛନ୍ତି ଶିକ୍ଷୟିତ୍ରୀ । ୪ଟି ଶ୍ରେଣୀର ପିଲାଙ୍କୁ ଅଲଗା ଅଲଗା ବିଷୟବସ୍ତୁ ପଢାଇବା ବେଳେ କୁନି କୁନି ପିଲାଙ୍କ ଉପରେ ଶିକ୍ଷାର କଣ ପ୍ରଭାବ ପଡୁଥିବ କିଏ କହିପାରିବ । ସେପଟେ ଅନ୍ୟ ଏକ ଶ୍ରେଣୀ ଗୃହରେ ପଢୁଛନ୍ତି ପଂଚମ ଶ୍ରେଣୀ ପିଲା । ସେହି ଶ୍ରେଣୀଗୃହର ଛାତ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।

ରାଜ୍ୟରେ ଏବେ ଫାଇଭ-ଟି ଯୋଜନା ଜରିଆରେ ବିଦ୍ୟାଳୟଗୁଡିକର ରୁପାନ୍ତରିକରଣ କରାଯାଉଛି । ହେଲେ ଗୋପାଳରପୁରର ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ସରକାରଙ୍କ ଦୃଷ୍ଟି ପଡୁ ନାହିଁ ।