କାର୍ଯ୍ୟକାରୀ ହେଉନି ‘ସ୍କୁଲ ବ୍ୟାଗ ଓଜନ’ ଗାଇଡ ଲାଇନ୍ : ଜୁନ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ସରକାରୀ ନିୟମକୁ ଫୁ ! ମପା ଯାଉନି ସ୍କୁଲ ବ୍ୟାଗ ଓଜନ, ୨୦ ଜିଲ୍ଲାରେ କାର୍ଯ୍ୟକାରୀ ହୋଇନି ନିୟମ

source : India Today

କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉପରେ ଅତ୍ୟଧିକ ପାଠର ବୋଝ ଲଦାଯାଉଛି । ସ୍କୁଲ ବ୍ୟାଗର ଓଜନ ନେଇ ସରକାର ଗାଇଡ ଲାଇନ ପ୍ରସ୍ତୁତ କରିଥିଲେ ମଧ୍ୟ ବିଦ୍ୟାଳୟଗୁଡିକ ତାହାକୁ ମାନୁ ନାହାନ୍ତି । ଯାହା ଫଳରେ ଛୋଟ ଛୋଟ ପିଲାମାନେ ମାନସିକ ଚାପର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ ସରକାର ଗତ ମାର୍ଚ୍ଚ ମାସ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ଅଭିଯୋଗ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ଜୁନ ୨୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଗତ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ଦେଢ କେଜି ଥିବା ବେଳେ ତୃତୀୟରୁ ପଞ୍ଚମ ପିଲାମାନଙ୍କ ପାଇଁ ବ୍ୟାଗର ଓଜନ ଦୁଇରୁ ତିନି କିଲୋ ହେବା ନିୟମ ରହିଛି। ସେହିପରି ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଇଁ ଚାରି କେଜି, ଅଷ୍ଟମ ଏବଂ ନବମ ପାଇଁ ସର୍ବାଧିକ ସାଢେ ଚାରି କିଲୋ ଓଜନର ବହିପତ୍ର ସ୍କୁଲ ବ୍ୟାଗରେ ରହିବା ନିୟମ ରହିଛି। ଏଥିସହିତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବାଧିକ ପାଞ୍ଚ କେଜି ଓଜନର ସ୍କୁଲ ବ୍ୟାଗ ବୋହି ପାରିବେ ବୋଲି ଏନସିଇଆରଟିର ଗାଇଡ ଲାଇନ ଅନୁଯାୀୟୀ ରାଜ୍ୟ ସରକାର ନିୟମ ପ୍ରଣୟନ କରିଛନ୍ତି । ଏ ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନିୟମର ଉଲ୍ଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି ।

କିନ୍ତୁ ଅଧିକାଂଶ ଇଂରାଜୀ ମିଡିୟମ ସ୍କୁଲ ଏହି ଗାଇଡ ଲାଇନ ମାନୁ ନଥିବା, ରାଜ୍ୟର ଘରୋଇ ତଥା ଅନୁଦାନପ୍ରାପ୍ତ ସ୍କୁଲଗୁଡିକରେ କୋର୍ସ ଫି’ରେ ତାରତମ୍ୟ ରହୁଥିବା, ସିବିଏସଇ ଏବଂ ଆଇସିଏସଇ ପାଠ୍ୟକ୍ରମ ଠାରୁ ଅଧିକ ପୁସ୍ତକ ପାଇଁ କର୍ତ୍ତୃପକ୍ଷ ବାଧ୍ୟ କରୁଥିବା, ଛୋଟ ଛୋଟ ପିଲାମାନଙ୍କୁ ଅତ୍ୟଧିକ ଗୃହକାର୍ଯ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରଥମ, ଦ୍ବିତୀୟ ପିଲାମାନଙ୍କ ପାଇଁ ଆଦୌ ଗୃହକାର୍ଯ୍ୟ ନଥିବାବେଳେ ସ୍କୁଲ କତ୍ତୃର୍ପକ୍ଷ ଏହାକୁ ଅଣଦେଖା କରି ଅଯଥା ଚାପ ସୃଷ୍ଟି କରୁଛନ୍ତି। ତେବେ ଏସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଇନଜୀବୀ ଡକ୍ଟର କହ୍ନେୟାଲାଲ ଶର୍ମା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ଏବଂ ଶିକ୍ଷା ବିଭାଗ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ , ସିବିଏସଇ ଏବଂ ଆଇସିଏସଇ କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାରେ ପକ୍ଷ ରଖି ରାଜ୍ୟ ସରକାର କୋର୍ସ ଫି’, ସିଲାବସ ଏସଇଆରଟି ପ୍ରସ୍ତୁତ କରିଥାନ୍ତି। ବାକି ସିବିଏସଇ ଏବଂ ଆଇସିଏସଇ ସ୍କୁଲଗୁଡିକୁ ସରକାର କେବଳ ଏନଓସି ଏବଂ ପଞ୍ଜିକରଣ କରିଥାନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ସ୍କୁଲ ବ୍ୟାଏଗ ତଥା ଅନ୍ୟ ପ୍ରସଙ୍ଗରେ ତୁରନ୍ତ ରିପୋର୍ଟ ଦେବାକୁ ୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଏବଂ ବିଚାରପତି ଜଷ୍ଟିସ କେ.ଆର. ମହାପାତ୍ରଙ୍କ ଖଣ୍ଡପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୫ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe