ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି । ବିନା ଅନୁମତିରେ ଅନୁପସ୍ଥିତ ରହିଲେ ଦରମା ବନ୍ଦ, ଚୁକ୍ତିଭିତିକ ଶିକ୍ଷକଙ୍କ କ୍ଷେତ୍ରରେ ଅଧିକ କଠୋର ଆଭିମୁଖ୍ୟ

72

କନକ ବ୍ୟୁରୋ: ଶିକ୍ଷକଙ୍କୁ ସରକାରଙ୍କ ନାଲିଆଖି । ଦରମା ବନ୍ଦ ସହ ଚୁକ୍ତିଭିତିକ ଶିକ୍ଷକଙ୍କ ଚୁକ୍ତି ନବୀକରଣ ନ କରିବାକୁ ନର୍ଦ୍ଦେଶ । ନିୟମ ଖିଲାପିକାରୀ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବିନା ଅନୁମତିରେ ଅନୁପସ୍ଥିତଥିବା ଶିକ୍ଷକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନୁପସ୍ଥିତ ଦିନ ଗୁଡିକରେ ଦରମା ବନ୍ଦ କରିବା ସହ ଚୁକ୍ତିଭିତିକ ଶିକ୍ଷକଙ୍କ କ୍ଷେତ୍ରରେ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ।

ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ । ସ୍କୁଲରେ ଶିକ୍ଷକମାନଙ୍କର ଆଟେଣ୍ଡାନ୍ସ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬ତାରିଖରୁ ବିନାଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ସେମାନେ ଅନୁପସ୍ଥିତ ରହିଥିବା ଦିନ ଗୁଡିକର ଦରମା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଚୁକ୍ତିଭିତିକ ଶିକ୍ଷକମାନଙ୍କ କ୍ଷେତ୍ରରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଯଦି ସେମାନେ ବିନା କାରଣରେ ବେଆଇନ ଭାବେ ଅନୁପସ୍ଥିତ ରହନ୍ତି ତେବେ ଆଗାମୀ ମାର୍ଚ୍ଚ ମାସରେ ସେମାନଙ୍କର ବାର୍ଷିକ ଚୁକ୍ତିକୁ ପୁନଃ ନବୀକରଣ କରାଯିବ ନାହିଁ । ଦରକାର ପଡିଲେ ସେମାନଙ୍କ କାର୍ଯ୍ୟରୁ ଅପସାରିତ କରିବା ପାଇଁ ବିଭାଗୀୟ କର୍ତୁପକ୍ଷ ପଦକ୍ଷେପ ଗ୍ରହଣ କରିପାରିବେ ।

ସ୍କୁଲ ଗୁଡିକ କିପରି ସହଜ ଉପାୟରେ ଚାଲି ପାରିବ ସେଥିପିାଇଁ ବିଇଓ ମାନେ ବ୍ୟବସ୍ଥା କରିବେ । ଏପଟେ ଏବେ ବି ଶିକ୍ଷକ ଆନ୍ଦୋଳନ ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରେ ସ୍କୁଲରେ ତାଲା ପକାଇଛନ୍ତି । ଫଳରେ ସାରା ରାଜ୍ୟରେ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି । ରାଜ୍ୟ ସରକାର ସେମାନଙ୍କ ଦାବି ନେଇ ପ୍ରତିଶ୍ରୁତି ଦେଇଥିଲେ ବି ପୂରଣ କରି ନାହାନ୍ତି ବୋଲି ମଂଚ ପକ୍ଷରୁ କୁହାଯାଇଛି । ବିଭିନ୍ନ ଦାବି ପୂରଣ ନେଇ ଗତ ୨୧ ଦିନ ହେଲା ଶିକ୍ଷକ ମିଳତ ମଂଚ ରାଜଧାନୀଠାରେ ଅହୋରାତ୍ର ଧାରଣା ଦେଇଛନ୍ତି । ସେପଟେ ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର କହିଛନ୍ତି ଯେ, “ଚିଠି ଲେଖଇବା ଏକ ସ୍ୱଭାବିକ ପ୍ରକ୍ରିୟା” ସେମାନଙ୍କ ଦାବି ନେଇ ଆଜି ଏକ ମନ୍ତ୍ରୀସ୍ତରୀୟ ବୈଠକ ବସିବ । ଆନ୍ଦୋଳନରତ ଥିବା ଶିକ୍ଷକମାନଙ୍କ କ୍ଷେତ୍ରରେ ବିଚାର ବିମର୍ଷ କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।