ତାଣ୍ଡବ ରଚିଲା ‘ଫୋନି’ । ଭାଙ୍ଗିଗଲା ୫,୨୪୪ ସ୍କୁଲ, ଭୁଷୁଡିଗଲା ୧,୦୩୧ ସ୍ୱାସ୍ଥ୍ୟକେନ୍ଦ୍ର । 

201

କନକ ବ୍ୟୁରୋ : ପୁଣି ଓଡିଶା ଦେଖିଲା ପ୍ରକୃତିର କରାଳ ରୂପ । ଛାରଖାର ହୋଇଯାଇଛି ଅଧା ଓଡିଶା । ଚାଲିଯାଇଛି ବାତ୍ୟା, ହେଲେ ଛାଡିଯାଇଛି ଚିହ୍ନ । ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ୧୪ଟି ଜିଲ୍ଲା ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଘୋର ପ୍ରଭାବିତ ହୋଇଛି । ବାତ୍ୟା ମାଡ଼ ହେବାର ଦ୍ୱିତୀୟ ଦିନ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଟେଲିକମ୍ ଯୋଗାଯୋଗ ସ୍ୱାଭାବିକ ହୋଇପାରି ନାହିଁ । ଫଳରେ ବାତ୍ୟାଜନିତ କ୍ଷୟକ୍ଷତିର ସଂପୂର୍ଣ୍ଣ ଚିତ୍ର ଉପଲବ୍ଧ ହେଉ ନାହିଁ । ଏହି କାରଣରୁ ଫନି ପ୍ରଭାବରେ ମୃତାହତଙ୍କ ସଂଖ୍ୟା ଏତେ ପର୍ଯ୍ୟନ୍ତ ମିଳିପାରି ନାହିଁ । ଏଭଳି ଗମ୍ଭୀର ସ୍ଥିତି ମଧ୍ୟରେ ରାଜ୍ୟ ସରକାର କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି। ଏହି କ୍ଷୟକ୍ଷତି ଆକଳନ ଅନୁଯାୟୀ ୧୪ଟି ପ୍ରଭାବିତ ଜିଲ୍ଲାରେ ବହୁସଂଖ୍ୟକ ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ, ନଦୀ, ରାସ୍ତା, ଗଛ, ଗ୍ରୀଷ୍ମକାଳୀନ ଫସଲ, ପନିପରିବା ଆଦି ନଷ୍ଟ ହୋଇଥିବା ରିପୋର୍ଟ କରାଯାଇଛି ।

ଏହି ଆକଳନ ଅନୁଯାୟୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ । ୫୨୪୪ଟି ପ୍ରାଥମିକ ବିଦ୍ୟାଳୟ, ୫୪୭ଟି ଉଚ୍ଚ ପ୍ରାଥମିକ ଓ ବିଦ୍ୟାଳୟ, ୧୮୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଓ ୧୦୩୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଭାଙ୍ଗିଛି । ପ୍ରାୟ ୯୮୦.୬୯ କି.ମି. ନଦୀ ଓ ଲୁଣାବନ୍ଧ ଭାଙ୍ଗିଥିବା ବେଳେ ୨୨୭ଟି ଘାଇ ସୃଷ୍ଟି ହୋଇଛି । ଏହା ସହିତ ୫୫୯୬ କି.ମି. ରାସ୍ତା ଓ ୩୨୬ଟି କଲଭର୍ଟ ଭାଙ୍ଗିଛି । ଗଛ, ବିଜୁଳି ଖୁଣ୍ଟି, ତାର ଆଦି ଉପୁଡ଼ି ପଡ଼ି ୫୫୬ଟି ରାସ୍ତା ଅବରୋଧ ହୋଇଛି । ଏହା ଫଳରେ ଭୁବନେଶ୍ୱର, କଟକ, ପୁରୀ ସହିତ ଜଗତସିଂହପୁର, କେନ୍ଦ୍ରାପଡ଼ା ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖରାଦିନିଆ ଫସଲ ଯଥା: ଧାନ, ରବି ଫସଲ, ପନିପରିବା ସହିତ ଆମ୍ବ, ନଡ଼ିଆ, ପଣସ ଆଦି ଫଳ ଚାଷ ଉଜୁଡ଼ିଛି । ଫନି ଯୋଗୁଁ କେବଳ ବିଦ୍ୟୁତ୍ ଭିତ୍ତିଭୂମି ନୁହେଁ ଟେଲିକମ୍ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ଫଳରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧାରେ ଟାୱାର ଭାଙ୍ଗି ପୂରା ଠପ୍ ହୋଇଛି ମୋବାଇଲ୍ ସେବା । ଭୁବନେଶ୍ୱରରେ ବାତ୍ୟା ଯୋଗୁଁ ୩ଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।

ଏସବୁ କ୍ଷୟକ୍ଷତି ଯୋଗୁଁ ଜନଜୀବନ ଘୋର ପ୍ରଭାବିତ ହୋଇଛି । ଇତି ମଧ୍ୟରେ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ବିଦ୍ୟୁତ୍ ସେବାକୁ ପୁନରୁଦ୍ଧାର ପାଇଁ ବହୁସଂଖ୍ୟକ କର୍ମଚାରୀ ଆସିଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ସ୍ୱଭାବିକ ହୋଇପାରିଛି । ପୁରୀ ଓ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଯାଇଛି । ୨୪୮୯୯ଜଣ ପର୍ଯ୍ୟଟକଙ୍କୁ ପୁରୀ, ଗଞ୍ଜାମ, କଟକ ଓ ବାଲେଶ୍ୱର ଜିଲ୍ଲାରୁ ସୁରକ୍ଷିତ ସ୍ଥାନକୁ କିମ୍ବା ନିଜ ନିଜ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି ।

ପାନୀୟଜଳ ଯୋଗାଣ ବିପର୍ଯ୍ୟସ୍ତ ହୋଇଥିବାରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଡିଜି ସେଟ୍ ଯୋଗାଇ ଦିଆଯାଇଛି । ଏହାକୁ ଅନୁଧ୍ୟାନ କରିବା ପାଇଁ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ଜିଲ୍ଲା ପ୍ରଶାସନଙ୍କୁ ସହଯୋଗ କରିବା ପାଇଁ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି । ସେହିପରି ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ୩୨୧ଟି ମୋବାଇଲ୍ ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି । ୧୯୪୫ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ କିମ୍ବା ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାସ୍ତା ଉପରେ ପଡ଼ିଥିବା ଗଛକାଟି ସଫା କରିବାକୁ ୨୦ ଓଡ୍ରାଫ, ୪୪ଟି ଏନଡିଆରଏଫ୍ ଓ ୫୨୫ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତି ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ପ୍ରାଥମିକ ଆକଳନ ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ପୁରୀ, ଖୋର୍ଧା, କଟକ, ବାଲେଶ୍ୱର, ଗଞ୍ଜାମ, ଯାଜପୁର, ଭଦ୍ରକ, ଜଗତସିଂହପୁର, ଅନୁଗୁଳ, ଗଜପତି, ଢେଙ୍କାନାଳ, ରାୟଗଡ଼ା, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ୧୪ଟି ଜିଲ୍ଲା ସହିତ ଭୁବନେଶ୍ୱରକୁ ସାମିଲ କରାଯାଇଛି ।