କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେଲା ପାଠପଢ଼ା: ଭୁବନେଶ୍ୱରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କଲେ ନୀରିକ୍ଷଣ

131

କନକ ବ୍ୟୁରୋ: କୋଭିଡ ଗାଇଡଲାଇନକୁ ପାଳନ କରି ଆଜିଠୁ ଖୋଲିଛି ସ୍କୁଲ, କଲେଜ । ସ୍କୁଲକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିଛି ବିଦ୍ୟାଳୟ ଓ କଲେଜ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବା ପାଇଁ କୁହାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି ।

ପ୍ରାୟ ୯ମାସ ପରେ ଖୋଲିଛି ସ୍କୁଲ । ଦୀର୍ଘ ମାସର ବ୍ୟବଧାନ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ଭିତରେ ଉକ୍ରଣ୍ଠା ରହିଛି ସତ, କିନ୍ତୁ ସତର୍କତା ଓ ଅନୁଶାସନ ବି କଡ଼ାକଡ଼ି ହୋଇଛି । ସେଥିପାଇଁ ପ୍ରତି ସ୍କୁଲରେ ହୋଇଛି ବ୍ୟାପକ ବ୍ୟବସ୍ଥା । ସ୍କୁଲକୁ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ୍ କରାଯାଉଛି, ପିଲା ଓ ଶିକ୍ଷଙ୍କ ଭିତରେ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଉଛି । ସେହିପରି ଶ୍ରେଣୀ ଭିତରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ପାଠପଢ଼ା ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି, ୧୦୦ ଦିନର ପାଠ ପଢ଼ା ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ସେହିପରି କରୋନା କାଳରେ ପାଠପଢ଼ା ବ୍ୟାହତ ହୋଇଥିବାରୁ ପାଠ୍ୟକ୍ରମକୁ ବି ମଧ୍ୟ କମେଇ ଦିଆଯାଇଛି । ଆଉ ଏହାରି ଭିତରେ ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ଅଭିଭାବକଙ୍କ ଠାରୁ ଅନୁମତି ନେଇ ସ୍କୁଲରେ ପହଂଚିଥିଲେ ଛାତ୍ରଛାତ୍ରୀ ।

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଜେବି ହାଇର ସେକେଣ୍ଡାରୀ ସ୍କୁଲ ଏବଂ ଭୁବନେଶ୍ୱରର ୟୁନିଟ ୯ ଗର୍ଲସ ହାଇସ୍କୁଲ ବୁଲି ସ୍ଥିତିର ତଦାରଖ କରିଥିଲେ । ସେଠାରେ ଶିକ୍ଷକଙ୍କ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ଆଉ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।