ଆଜିଠାରୁ ସ୍କୁଲରେ ନାମଲେଖା ଆରମ୍ଭ: ଜୁଲାଇ ୧୫ ଯାଏ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ସ୍କୁଲରେ ଚାଲିବ ପ୍ରକ୍ରିୟା

ସେପଟେ ଆରମ୍ଭ ହେଉଛି ଅଫଲାଇନରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଖାତା ଦେଖା । ୬୬ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ୧୧ ହଜାର ଅଧ୍ୟାପକ

577

କନକ ବ୍ୟୁରୋ: କରୋନା କଟକଣା ଭିତରେ ଆଜିଠାରୁ ସ୍କୁଲ ଗୁଡିକରେ ନାମଲେଖା ଆରମ୍ଭ ହେବ । ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ସ୍କୁଲ ସହ ମଦ୍ରାସା ଓ ସଂସ୍କୃତ ଟୋଲଗୁଡିକରେ ନାମଲେଖା ପ୍ରକ୍ରିୟା ଜୁଲାଇ ୧୫ ତାରିଖ ଯାଏଁ ଚାଲିବ । ତେବେ ସ୍କୁଲରେ ନାମଲେଖା ବେଳେ କରୋନା କଟକଣା କଡାକଡି ଭାବେ ପାଳନ ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଶିକ୍ଷକ ସାମାଜିକ ଦୂରତା ରଖିବେ । ତେବେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ନେଇ ନିଷ୍ପତି ଚଳିତବର୍ଷ କାର୍ଯ୍ୟାକାରୀ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଛାତ୍ରଛାତ୍ରୀମାନେ ଯେଭଳି ପାଖ ସ୍କୁଲରେ ପଢିବେ ଓ ଯାତାୟତରେ କୌଣସି ସମସ୍ୟା ହେବନାହିଁ, ତାକୁ ଦେଖି ଏହି ନିଷ୍ପତି କରାଯାଇଛି । ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲେ ମଧ୍ୟ ସ୍କୁଲ ଖୋଲିବା ନେଇ ଜୁଲାଇ ୩୧ ପରେ ନିଷ୍ପତି କରାଯିବ । ଏପଟେ ନାମଲେଖା ପାଇଁ ସରକାରଙ୍କ ନିର୍ଦ୍ଦେଶନାମାକୁ ବିରୋଧ କରିଛି ଓଡିଶା ଅଭିଭାବକ ମହାସଂଘ । କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ କିଭଳି ସ୍କୁଲକୁ ଆସିବେ ବୋଲି ମହାସଂଘ ପ୍ରଶ୍ନ କରିଛି । ସେହିପରି ସରକାର ନାମଲେଖା ପାଇଁ ଅନୁମତି ଦେଇଦେଲେ ଘରୋଇ ସ୍କୁଲଗୁଡିକ ନାମଲେଖା ପରେ ମାସିକ ଫି ଆଦାୟ କରିବେ ବୋଲି ଆଶଙ୍କା ପ୍ରକାଶ କରିଛି ମହାସଂଘ ।

ଆଜିଠାରୁ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଉତରଖାତା ମୂଲ୍ୟାୟନ ଅଫଲାଇନରେ ହେବ । ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ସାଢେ ୧୧ ହଜାର ଅଧ୍ୟାପକ । ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଖାତା ଦେଖାହେବ । ଆଜି କିନ୍ତୁ ୧୭ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ । ଅଧ୍ୟାପକ ମାନଙ୍କ ତାଲିକ ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ ପଠାଇ ଦିଆଯାଇଛି । ସକାଳ ୧୦ଟାରି ଖାତା ଦେଖା ଆରମ୍ଭ ହେଉଥିବାବେଳେ ଏହାର ଯଥେଷ୍ଟ ପୂର୍ବରୁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ପହଂଚିବେ । କାରଣ ସେମାନଙ୍କର ଥର୍ମାଲ ସ୍କ୍ରିନ କରାଯିବ । ସେହିପରି ହ୍ୟାଣ୍ଡୱାସ ପାଇଁ ସାନିଟାଇଜର ବ୍ୟବସ୍ଥା ହେବ । ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖାତା ଦେଖିବାକୁ ସ୍ଥିର ହୋଇଛି । ଯଦି ଅଧିକ ସଂଖ୍ୟାରେ ଅଧ୍ୟାପକ ଆସନ୍ତି ତାହା ହେଲେ, ସେଂଟର ସୁପରିନଟେଣ୍ଡେଂଟ ଚାହିଁଲେ ଦୁଇଟି ସିଫ୍ଟରେ ଉତର ଖାତା ମୂଲ୍ୟାୟନ କରିପାରିବେ ବୋଲି କୁହାଯାଇଛି ।