କନକ ବ୍ୟୁରୋ :  ୨୦୨୧ ଭାରତୀୟ କ୍ରିକେଟ ପାଇଁ ଏତେ ଭଲ ନଥିଲା । ଦଳ ଟି-୨୦ ବିଶ୍ୱକପ ଜିତିବାରେ ସଫଳ ହୋଇନଥିଲା । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପରାଜିତ ହେବା ସହ ଭାରତର ଚାମ୍ପିୟନ ହେବା ସ୍ୱପ୍ନ ଧୂଳିସାତ ହୋଇଥିଲା । ତେବେ ବର୍ଷ ଶେଷ ଆଡକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବା ସହ ୨୦୨୨ର ସଫଳତା ପାଇଁ ବାଟ ଫିଟାଇଛି ଟିମ୍ ଇଣ୍ଡିଆ । ୨୦୨୨ରେ ଅନେକ ଗୁଡିଏ ସିରିଜ ଖେଳିବ ଭାରତ । ତେବେ ଏସବୁ ଭିତରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ଉପରେ ଟିମ୍ ଇଣ୍ଡିଆର ନଜର ରହିବ । କାରଣ ୨୦୧୩ ପରଠାରୁ ଭାରତ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇନାହିଁ ।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବା ସହ ୨୦୨୨ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।  ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଳକା ୨ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବା ସହ ଗସ୍ତ ଶେଷ କରିବ ଭାରତ । ଏହାପରେ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବ ଭାରତ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ ଭାରତୀୟ ଦଳ । ୬ ଫେବ୍ରୁଆରୀରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୫ ଫେବ୍ରୂଆରୀରେ ପ୍ରଥମ ଟି-୨୦ ମ୍ୟାଚ୍ କଟକରେ ଖେଳାଯିବ ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ମାଟିରେ ସିରିଜ ଖେଳିବ ଭାରତ । ୨୫ ଫେବ୍ର୍ରୁଆରୀରୁ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ସେହିଭଳି ୧୩ ମାର୍ଚ୍ଚରୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଏପ୍ରିଲ ଓ ମେ’ ମାସରେ ଆଇପିଏଲ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେହିଭଳି ୯ ଜୁନରୁ ୧୯ ଜୁନ୍ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଏହାପରେ ୧ରୁ ୫ ଜୁଲାଇ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଏହାପରେ ୭ରୁ ୧୭ ଜୁଲାଇ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଭାରତ ।

ଏହାପରେ ଜୁଲାଇ-ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଟିମ ଇଣ୍ଡିଆ । େଓଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ତେବେ ଏହାର କାର୍ଯ୍ୟସୂଚୀ ଏଯାବତ ଘୋଷଣା କରାଯାଇନାହିଁ । ସେପ୍ଟେମ୍ବର ମାସରେ ଏସିଆ କପ୍ ଖେଳାଯିବ । ତେବେ ଏନେଇ ତାରିଖ କିମ୍ବା ସ୍ଥାନ ଘୋଷଣା କରାଯାଇନାହିଁ ।

ଏସିଆ କପ ପରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବ । ଯେଉଁଠି ଟିମ୍ ଇଣ୍ଡିଆ ୪ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଏହାପରେ ଅକ୍ଟୋବର  ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବ ଭାରତ । ଟି-୨୦ ବିଶ୍ୱକପ ପରେ ଭାରତ ଗସ୍ତରେ ଆସିବ ବାଂଲାଦେଶ । ଏଠାରେ ବାଂଲାଦେଶ ବିପକ୍ଷରେ ଭାରତ ୨ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ନଭେମ୍ବର ଓ ଡିସେମ୍ବରରେ ଖେଳାଯିବାକୁ ଥିବା ଏହି ସିରିଜ ବାବଦରେ ତାରିଖ ଓ ସ୍ଥାନ ଘୋଷଣା କରାଯାଇନାହିଁ ।