ଏସସିବି ନର୍ସିଂ ଛାତ୍ରୀଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ

46

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : କଟକ ଏସସିବି ନର୍ସିଂ ଛାତ୍ରୀଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ଘଟଣା । ବାରମ୍ବାର ଆନ୍ଦୋଳନ ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନର୍ସିଂ ଛାତ୍ରୀ । ସ୍ୱସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନୀୟକଙ୍କୁ ଭେଟି ଅଧ୍ୟକ୍ଷା କାଜଲ ରାଣୀଙ୍କ ବହିଷ୍କାର ଦାବି କରିଛନ୍ତି ଆନ୍ଦୋଳନରତ ଛାତ୍ରୀ । ଏସସିବିର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ମେଡିକାଲ କର୍ତୃପକ୍ଷଙ୍କୁ ଜଣାଇ ମଧ୍ୟ ନିରାଶ ହେବା ପରେ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ନର୍ସିଂ ଛାତ୍ରୀ । ଗତକାଲି ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ପରେ ଲୋୟର ପିଏମଜି ଧାରଣାରେ ବସିଛନ୍ତି ଏସସିବି ନର୍ସିଂ ସ୍କୁଲର ଛାତ୍ରୀ । ଅଧ୍ୟକ୍ଷା କାଜଲ ରାଣୀ ଛାତ୍ରୀଙ୍କୁ ମାଡ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ ହୋଇଛି । ମଙ୍ଗଳାବାଗ ଥାନା ପୁଲିସ ଆଭିଯୋଗକାରୀ ଛାତ୍ରୀ ଓ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି । ହେଲେ ଏସସିବି ମେଡିକାଲ ପକ୍ଷରୁ ଅଧ୍ୟକ୍ଷାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେବଳ ସ୍କୁଲରେ ସାଇନ ଏ ଡାଏ ଘୋଷଣା କରାଯାଇଛି । ଫଳରେ ହଷ୍ଟେଲ ଛାଡିଛନ୍ତି ଛାତ୍ରୀ । ହେଲେ ଆନ୍ଦୋଳନ ଥମିନି । ଏସସିବି ନର୍ସିଂ ସ୍କୁଲରେ ସାଇନ ଏ ଡାଏ ଘୋଷଣା ହେବା ପରେ ବାଧ୍ୟ ହୋଇ ରାଜରାସ୍ତାକୁ ଆସିଥିବା କହିଛନ୍ତି ଆନ୍ଦୋଳନରତ ନର୍ସିଂ ଛାତ୍ରୀ ।